Unknown

 

 

 

 

 

 

 

 

 

 

 

ସୃଷ୍ଟିର ସ୍ୱପ୍ନ

କୃଷ୍ଣଚରଣ ବେହେରା

 

 

 

 

 

 

 

 

ଶ୍ରୀମତୀ ରେଣୁ ଦତ୍ତ

ଶ୍ରୀ ଚିତ୍ତରଞ୍ଜନ ଦତ୍ତ

ବନ୍ଧୁ ବରେଷୁ...............

 

ପ୍ରେମ ଫଲ୍‌ଗୁ

 

ମୋର ବିବାହ ଉତ୍ସବରେ ପ୍ରଧାନ ଅତିଥି ହୋଇଥିଲା ସଙ୍ଘମିତ୍ରା ।

 

ସଙ୍ଘମିତ୍ରା ମୋର ବାଲ୍ୟବନ୍ଧୁ, ସହପାଠିନୀ । ସହରର ଗୋଟିଏ ପଡ଼ାରେ ଲଗାଲଗି ଆମ ଦୁହିଙ୍କ ଘର । ଦୁଇଟି ଘର ମଧ୍ୟରେ ସୁଷ୍ଠୁ ସୌହାର୍ଦ୍ଦ୍ୟ ।

 

ପିଲାଦିନ କଥା ମନେପଡ଼େ । ଦୁହେଁ ଏକା ସଙ୍ଗରେ ଖେଳୁ, ଖାଉ, ସ୍କୁଲକୁ ଯାଉ । ରାଗରୁଷା, ହସକାନ୍ଦ, ମାନ ଅଭିମାନ ଭିତରେ ଦିନ କଟେ । ଆମର ବନ୍ଧୁତା ହୁଏ ଘନିଷ୍ଠରୁ ଘନିଷ୍ଠତର ।

 

ସଙ୍ଘମିତ୍ରା ବଡ଼ ଅଭିମାନିନୀ ଓ ଲଜ୍ଜାଶୀଳା । ତା’ ମନ କଥା ଜାଣିବା ଯେପରି କଷ୍ଟକର, ଗଭୀର ମୁଖଭଙ୍ଗୀ ଠଉରାଇବା ସେହିପରି ଦୁଃସାଧ୍ୟ । କଲେଜ ଜୀବନରେ ମୋ ବ୍ୟତୀତ ସେ ଅନ୍ୟ କାହା ସହିତ ପ୍ରାୟ ମିଳାମିଶା କରେନା । କ୍ଲାସ୍‌ର ଭଲ ଛାତ୍ରୀ ହିସାବରେ ସେ ସମସ୍ତଙ୍କଠାରୁ ପ୍ରଶଂସା ଓ ସମ୍ମାନ ଦାବି କରେ । ପୁଣି ରୂପସୀ ତରୁଣୀ ହିସାବରେ ରୂପର ଗର୍ବ ତ ତା’ର ରହିବା ସ୍ୱାଭାବିକ ।

 

ସଙ୍ଘମିତ୍ରା ମୋତେ ପ୍ରକୃତରେ ସୁଖ ପାଏ–ଏହା ମୁଁ ସଦାବେଳେ ଅନୁଭବ କଲେ ମଧ୍ୟ ସଂପୂର୍ଣ୍ଣ ବିଶ୍ୱାସ କରି ପାରେନା । ବ୍ୟବହାରରୁ ମୋ’ ପ୍ରତି ତା’ର ଗଭୀର ଆକର୍ଷଣର ସୂଚନା ମିଳିଲେ ମଧ୍ୟ ସେ ବରାବର ମୋ’ଠାରୁ ଦୂରରେ ରହିବାକୁ ଚେଷ୍ଟା କରେ !

 

ସେଥର ପୂଜାଛୁଟିରେ ସଙ୍ଘମିତ୍ରା ସହିତ ହସଖେଳରେ ଦିନଗୁଡ଼ିକ ଅତି ଛନ୍ଦମଧୁର ଭାବେ କଟି ଯାଉଥାଏ । ଦିନେ ଅକସ୍ମାତ୍‌ ସଙ୍ଘମିତ୍ରା ଆସି ମୋତେ କହିଲା–ବିକାଶ ଭାଇ, ବୋଉ କାହିଁକି ତୁମକୁ ଡକାଇଛି । ସଞ୍ଜବେଳେ ଆମଆଡ଼େ ଟିକିଏ ଯିବ ।

 

ତା’ର ସ୍ୱଭାବ ସୁନ୍ଦର ଗମ୍ଭୀର ମୁଖରେ ସ୍ମିତହାସ୍ୟ ଟିକିଏ ଫୁଟାଇ ସଙ୍ଘମିତ୍ରା ମୋତେ ଏକ ନିମନ୍ତ୍ରଣ ଦେଇଗଲା । ମୁଁ ଗଲି । ଦଶହରା ପାଇଁ ଏକ ବିରାଟ ଭୋଜିର ଆୟୋଜନ ହୋଇଛି-। ସେଦିନ ମାଉସୀଙ୍କ ବ୍ୟବହାରରେ ଟିକିଏ ନୂତନତ୍ୱ ଲକ୍ଷ୍ୟ କଲି । ସଙ୍ଘମିତ୍ରା ଓ ମୁଁ ଦୁହେଁ ସାଙ୍ଗରେ ଖାଇଲୁ । ମାଉସୀ ପରଷି ଦେଲେ ।

 

ଖିଆପିଆ ଶେଷରେ ମୁଁ ଡାକିଲି–ମିତା, ବଡ଼ ଗରମ ହେଉଛି । ଛାତ ଉପରେ ଟିକିଏ ବୁଲି ଆସିବା, ଆ’ ।

 

ସଙ୍ଘମିତ୍ରା ଟିକିଏ ଇତଃସ୍ତତଃ ହୋଇ କହିଲା–ନା ବିକାଶ ଭାଇ, ବୋଉ ଦିନସାରା କାମ କରି କରି ଥକିଲାଣି, ମୁଁ ତାକୁ ଟିକିଏ ସାହାଯ୍ୟ କରେଁ । ରାତି ହେଲାଣି, ତମେ ଏବେ ଘରକୁ ଯାଅ !

 

ହତାଶାର ଦୀର୍ଘଶ୍ୱାସ ପକାଇ ଏକା ଏକା ଘରକୁ ଫେରିଲି ।

ସେଥର ମୋ’ ଆଲବମ୍‌ ଭିତରେ ମୋର ଖଣ୍ଡିଏ ନୂଆ ଫଟୋ ଦେଖି ସଙ୍ଘମିତ୍ରା କହିଲା–ଏଇଟିକି ମୋର ଭାରି ଲୋଭ ହେଲାଣି ବିକାଶ ଭାଇ, ଏହାର ଖଣ୍ଡେ କପି ମୋତେ ଦବ-?

ହସି ହସି ଉତ୍ତର ଦେଲି–ଦେବି ଯେ, ତା ବଦଳରେ ତୁ’ ମତେ କଣ ଦେବୁ କହ ।

–ଦେବି ମୋର ଖଣ୍ଡିଏ ସୁନ୍ଦର ଫଟୋ ।

ମୁଁ ମଥା ହଲାଇ ନାହିଁ କଲି–ଉହୁଁ, ତା ମୋର ଦର୍କାର ନାଇଁ । ଆଜି ମୋର ଗୋଟିଏ କଥା ରଖିବୁ ମିତା । ପିଲାଦିନ କଥା ତୋର ମନେପଡ଼େ ? ସାଙ୍ଗ ହୋଇ କେତେ ଖେଳନ୍ତି, କେତେ ସିନେମା ଯାଆନ୍ତି । ଆଜି ଚାଲ, ବହୁଦିନ ପରେ ଥରେ ଯିବା ସିନେମା !

ସେ ସଙ୍ଗେ ସଙ୍ଗେ କହିଲା–ନାଇଁ ବିକାଶ ଭାଇ, ମୋତେ ଆଜି ମାଫ୍‌କର । ମୁଁ ଯାଆନ୍ତି ଯେ, କିନ୍ତୁ ସକାଳୁ ମୋ’ ଦେହ ଖରାପ–ଡିସେଣ୍ଟ୍ରି ରକମ ଧରିଛି ।

ଅଥଚ ସେତେବେଳକୁ ଦୀର୍ଘ ଅଢ଼େଇ ଘଣ୍ଟା ଧରି ଆମର ଚେସ୍‌ ଖେଳ ସରିଥାଏ । ମୁଁ ଆଉ ଅଧିକ ଦୂର ଅଗ୍ରସର ନ ହୋଇ ନୀରବ ରହିଲି ।

ଏହି କଣ ତରୁଣୀ ତନ୍ୱୀ ସଙ୍ଘମିତ୍ରା ! ଯୌବନର ସକଳ ଆବେଦନ କି ତା’ ନିକଟରେ ନିରର୍ଥକ । ହାୟ, ରୂପର ବିପୁଳ ସମ୍ଭାର ସହ ହୃଦୟର ନିଖିଳ ଆବେଗ ଘେନି ଚଳ ଚପଳ ଗିରି ନଦୀଟି ବହି ଚାଲିଛି, କିନ୍ତୁ ଲକ୍ଷ୍ୟ ତା’ର କଣ–ସେ ଏ ପର୍ଯ୍ୟନ୍ତ ଠିକ୍‌ କରି ପାରିନି ।

ଦୀର୍ଘ ଦୁଇ ବର୍ଷର ସଧୈର୍ଯ୍ୟ ପ୍ରତୀକ୍ଷା ପରେ ମୁଁ ଦିନେ ମନେମନେ ଠିକ୍‌ କରିନେଲି–ଆଉ ମରୀଚିକା ପଛରେ ଧାଇଁ କିଛି ଲାଭ ନାହିଁ । ଏଥର ମୋତେ ଅନ୍ୟ ପନ୍ଥା ଗ୍ରହଣ କରିବାକୁ ହେବ ।

 

ସେଦିନ କଥା ପ୍ରସଙ୍ଗରେ ସଙ୍ଘମିତ୍ରାକୁ କହିଲି–ଆଜି ସଂଧ୍ୟାରେ ଖେଳିବା ପାଇଁ ଆସିବୁନି ମିତା । ମୁଁ ବାହାରକୁ ଯିବି । ମୋର ଏକ ନିମନ୍ତ୍ରଣ ଅଛି–ତମ କଲେଜର ନିରୁପମା ରାଉତକୁ ଜାଣିଥିବୁ–ତାଙ୍କରି ଘରେ ।

 

ସଙ୍ଘମିତ୍ରା ଆଶ୍ଚର୍ଯ୍ୟ ହେଲା, ତଥାପି ମୁହଁରେ ହସ ଫୁଟାଇ କହିଲା–ଅକସ୍ମାତ୍‌ ଏ ଅସ୍ୱାଭାବିକ ନିମନ୍ତ୍ରଣର ଉଦ୍ଦେଶ୍ୟ ?

 

–କେତେଦିନ ହେଲା ଆମର ତାଙ୍କର ସମ୍ବନ୍ଧ ପଡ଼ିଛି କି ନା, ଏ ବୋଧହୁଏ ତାହାରି ଉପକ୍ରମଣିକା ।

 

ହଠାତ୍‌ ସଙ୍ଘମିତ୍ରାର ମୁଖଭଙ୍ଗୀ ବଦଳି ଗଲା । ବୋଧହୁଏ ମୋ’ ମୁହଁରୁ ଏପରି କଥା ଶୁଣିବ ବୋଲି ଆଶା କରି ନଥିଲା ବିଚାରୀ । ଅସ୍ଥିରତା ବଶତଃ କଣ କହିବ କିଛି ଠିକ୍‌ କରି ନ ପାରି ତଳକୁ ମୁହଁ ପୋତିଲା । ମାତ୍ର ସଙ୍ଗେ ସଙ୍ଗେ ନିଜକୁ ସ୍ୱାଭାବିକ ପରିସ୍ଥିତି ମଧ୍ୟକୁ ଫେରାଇ ଆଣି ଉତ୍‌ଫୁଲ୍ଲ ହେଲା ପରି କହିଲା–ବାଃ, ବଡ଼ ମଜା କଥା ! ଏ ଶୁଭ ଉପକ୍ରମଣିକାର ସଫଳ ହେଉ । ମୁଁ କଟକ ଚଣ୍ଡୀଙ୍କୁ ଡାକୁଛି । କିନ୍ତୁ ଭୋଜିଟା ଯେପରି ବିରାଟ ଆକାରରେ ହୁଏ ବିକାଶ ଭାଇ; ମୁଁ ତେଣୁ ପେଟ ସଫା କରି ଆସିଥିବି ।

 

–ତୁ’ ନିହାତି ପେଟୁ ମିତା । ଜାଣିଛୁ ‘ଭୋଜନେ ଇତରାଃ ଜନାଃ’ ।

 

–ତମ ବିବାହରେ ଆମେ ଇତର ଜନଛଡ଼ା ଆଉ ଅଧିକ କଣ ହୋଇ ପାରିବୁ ବିକାଶ ଭାଇ ? ସଙ୍ଘମିତ୍ରାର ସ୍ୱର କରୁଣ ।

 

ଏହିପରି ଉପରେ ଉପରେ କଥାଟା ସେ ଦିନ ଉଡ଼ିଯାଇଥିଲା । ତାପରେ ଅକସ୍ମାତ୍‌ ଦିନେ ସଙ୍ଘମିତ୍ରା ପାଇଲା ମୋର ବିବାହ ନିମନ୍ତ୍ରଣ ।

 

ସେଦିନ ତା’ମନରେ କି ପ୍ରତିକ୍ରିୟା ସୃଷ୍ଟି ହୋଇଥିବ ଜାଣେନା । ତଥାପି ସଙ୍ଗେ ସଙ୍ଗେ ସେ ମୋ ପାଖକୁ ଦଉଡ଼ି ଆସି ସହାସ୍ୟ ବଦନରେ ମୋତେ ଅଭିନନ୍ଦନ ଜଣାଇଗଲା । ତା’ ପରେ ମଙ୍ଗଳ ଅଧିବାସଠାରୁ ବିବାହ ଶେଷ ପର୍ଯ୍ୟନ୍ତ ସେ ଆମରି ଘରେ ରହି ଅତିଥି ଚର୍ଚ୍ଚା, ଭୋଜି ବ୍ୟବସ୍ଥା ପ୍ରଭୃତି ବିବାହର ନାନାଦି କାର୍ଯ୍ୟରେ ଆମକୁ ସାହାଯ୍ୟ କଲା । ଜାଣି ପାରିଲି–ମୋ ବିବାହରେ ଯେପରି ସେ ତିଳେହେଲେ ଦୁଃଖିତ ନୁହେଁ ।

 

ପହିଲି ରାତିରେ ମଧୁଶଯ୍ୟାରେ ସମସ୍ତ ବ୍ୟବସ୍ଥା ସାରି ସଙ୍ଘମିତ୍ରା ପାଖ ଘରକୁ ଶୋଇବା ଲାଗି ଚାଲିଗଲା । ନିରୁପମାକୁ ପାଇ ସେଦିନ ମୁଁ ସୁଖୀ ହେଲି କି ଦୁଃଖୀ ହେଲି–କହି ପାରିବି ନାହିଁ ।

 

ମଧୁଶଯ୍ୟା ରାତି ଭୋର ହେଲା ମାତ୍ରେ ମୁଁ ବିଛଣାରୁ ଉଠିଗଲି । କାହିଁକି କେଜାଣି ଗୋଟାଏ ଖିଆଲରେ ପଶିଗଲି ସଙ୍ଘମିତ୍ରା ଶୋଇବା ଘରକୁ । ସେଠାରେ ଯାହା ଦେଖିଲି, ତାହା ଦେଖି କୌଣସି ଲୋକ ଧୈର୍ଯ୍ୟ ଧରି ପାରିବ ନାହିଁ । ସଙ୍ଘମିତ୍ରା ସାରା ରାତି ବିଛଣାରେ ପଡ଼ି କାନ୍ଦୁଛି । କାନ୍ଦି କାନ୍ଦି ଆଖି ଯୋଡ଼ିକ ତାର ଫୁଲି ଯାଇଛି, ସଜ୍ଜିତ କେଶରାଶି ହୋଇ ପଡ଼ିଛି ବିପର୍ଯ୍ୟସ୍ତ । ମୋତେ ଦେଖି ସେ କଇଁ କଇଁ ହୋଇ କାନ୍ଦି ଉଠିଲା–ବିକାଶ ଭାଇ, ମୋ ପାଖକୁ ଆଉ ଆସିଲ କାହିଁକି ? ତମେ ଯାଅ–ତମେ ଏଠୁ ଯାଅ ବିକାଶ ଭାଇ...

 

ସେ ଆଉ କହି ପାରିଲା ନାହିଁ; କାନ୍ଦି କାନ୍ଦି ତକିଆ ଭିତରେ ମୁହଁ ଗୁଞ୍ଜି ଦେଲା । ମୁଁ ପାଖରେ ବସିପଡ଼ି ଆଖିରୁ ତା’ର ଲୁହ ପୋଛି ଦେଉଁ ଦେଉଁ କହିଲି–ମୁଁ ଯଦି ତୋ’ ମନରେ କିଛି କଷ୍ଟ ଦେଇଥାଏ ମୋତେ କ୍ଷମା ଦେ ।

 

–ତମେ କ୍ଷମାର ପାତ୍ର ନୁହଁ ବିକାଶ ଭାଇ । ତମେ ଅତି ନିଷ୍ଠୁର । ନାରୀ ମନ ବୁଝନା, ତମେ ଭାରି...

 

ଥାଉ ଥାଉ ମିତା । ମୋର ସବୁ ଦୋଷ । କିନ୍ତୁ ବର୍ତ୍ତମାନ ଉପାୟ କଣ କହ ଭଉଣୀ ?

 

ଜୀବନରେ ତମେ ସୁଖୀ ହୁଅ ବିକାଶ ଭାଇ । ତମେ ଯାଅ–ମୋତେ ଭୁଲିଯାଅ । ମୁଁ ଚିରଦିନ ଝୁରି ଝୁରି ମରେଁ । ପଣତକାନିରେ ଲୁହ ପୋଛୁ ପୋଛୁ ସଙ୍ଘମିତ୍ରା ଉଠି ସେ ଘରୁ ଚାଲିଗଲା । ମୁଁ ନିର୍ବାକ ନିରୁପାୟ ହୋଇ ବ୍ୟଥାତୁର ଭାବେ ବାହାରକୁ ଚାହିଁ ରହିଲି । ଉଷାର ଆଲୋକ ଧୀରେ ଧୀରେ କକ୍ଷ ମଧ୍ୟରେ ପ୍ରବେଶ କରୁଥିଲା ।

Image

 

କନକ

 

ସେଦିନ ସକାଳେ କନକ ଏକୁଟିଆ ନଈରେ ଗାଧୋଉ ଗାଧୋଉ ନିଜ ମୁହଁ ଛାଇଟା ପାଣିରେ ଦେଖି ଆଚମ୍ବିତ ହେଲା–ଏଇ ବରଷ ଗୋଟାକ ଭିତରେ ସେ କେଡ଼େ ସୁନ୍ଦର ହୋଇ ଗଲାଣି ସତେ ! ତାର ମନେ ପଡ଼ିଲା ଦିନକର ରାତି କଥା–ଦୀପ ଆଲୁଅରେ ତା’ର ମୁହଁକୁ ଦେଖି ‘ସେ’ କହିଥିଲେ–‘ତମେ କେଡ଼େ ସୁନ୍ଦର ! ସେ ସେଇଠୁ ଲାଜରେ ସଢ଼ିଯାଇ ତାଙ୍କ ଛାତିରେ ମୁହଁ ଲୁଚେଇ ଖାଲି କହିଥିଲା–‘ଯାଃ’...

 

କନକର ଦେହଟା ଅଳସେଇ ହେଲା । ନଈର କାଚଧାର ପାଣି ଉପରେ ସେ ନିଜ ଦେହଟାକୁ ଲତେଇ ଦେଇ କେତେ କଣ ଭାବିଗଲା–କାହିଁ ସେ କେତେ ଦୂରରେ ! ସାତ ସମୁଦର ତେର ନଈ ପାରି, ଖବରଟି ପହଞ୍ଚିବାକୁ ମାସେ ପକ୍ଷେ ଲାଗୁଛି । କେମିତି ସେ ଆଜି ନିଜ ‘ହୃଦ’ ବାରତା ତାଙ୍କୁ ଜଣେଇବ ! ପିଲାଦିନେ ଶୁଣିଥିବା ‘ରଜାଝିଅ କେଶବତୀ କନ୍ୟା’ ଗପ, ତାର ମନେ ପଡ଼ିଲା । ଅତି ଯତନରେ ଫରୁଆ ଗୋଟାକରେ ନିଜ ମଥା ବାଳରୁ ଗୋଟିଏ ଏଇ ନଈ ସୁଅରେ ସେ ଭସେଇ ଦେବ । ଫରୁଆଟି ଭାସି ଭାସି ଯାଇ ତାଙ୍କରି ପାଖରେ ଲାଗିବ । ସେ କେଡ଼େ ଯତନରେ ଫରୁଆଟି ଭିତରୁ ତାରି ମଥା ବାଳ ଚିହ୍ନି ଛାତିରେ ନେଇ ଧରିବେ । ମନେ ପଡ଼ିଯିବ ତାଙ୍କର ଘର କଥା । ତା’ ପରେ...

 

ଉଠାଣି ଖରା ଆସି ଯେମିତି ମୁହଁରେ ପଡ଼ିଛି, କନକର ଚେତା ପଶିଲା–‘ମଲା ଯା, କେଡ଼େ ସହଳ ବେଳ ଚାଲି ଯାଉଛି ମ !’ ଶାଶୁ ଭୟରେ ତରତର ହେଇ ସେ ପାଣିରୁ ଉଠି ଆସିଲା, ତେଣେ ଘରେ ଆଜି ତା’ ଭାଗ୍ୟରେ କ’ଣ ଅଛି କେଜାଣି !

 

ହାଣ୍ଡିଶାଳେ ପାଣି କଳସୀଟି ଥୋଇ ଓଦା ଲୁଗାଟା ବାରଣ୍ଡାରେ ଶୁଖାଉଚି, ଶାଶୁ କୁଆଡ଼େ ଥିଲେ, ବାଘୁଣୀ ପରି ଗର୍ଜି ଆସିଲେ–‘ଆଲୋ ଅଲକ୍ଷଣୀ, ସକାଳ ପହରୁ ନଈକି ଯାଇ ତେଣେ କି ନାଟ କରୁଥିଲୁ କି ? ଘରଣୀ ହୋଇଥିଲେ ତ ଏତେବେଳକୁ ରାନ୍ଧି ବାଢ଼ି ପାଣି କାଞ୍ଜି ଆଣି ସାତ ଚଉଠ କରି ଥୋଇ ସାରନ୍ତୁଣି ! ଆଲୋ ମଠେଇଟା, ଖୁଣ୍ଟେଇଟା, ଏ ସୁଖ ଶରଧାକୁ ବାପ ମା’ ଯାହା ତୋତେ ରଜାଘରେ ବାହା ନ ଦେଲେ ! ଛି, ଲାଜ ନାହିଁ ସେ ମୁହଁକୁ ! ମଣିଷ ହୋଇଥିଲେ ପଦେ କଥାରେ ବୁଲି ପଡ଼ନ୍ତାଣି । ଏ ପୋଡ଼ା ଅଙ୍ଗାରଟା ସାଙ୍ଗରେ ମଣିଷ କେତେ ଗୋଳେଇ ହବଲୋ ମା !’

 

କନକ ବିଚାରୀ ଯାହା ଭାବିଥିଲା, ସେଇୟା ହେଲା । ସେ ନୀରବରେ ସବୁ ଗାଳି ସହିଗଲା । ଯଦି କିଛି ପଦେ ମୁହଁ ଖୋଲି କହିବତ, କଳିହୁଡ଼ି ଶାଶୁ ତିଳକୁ ତାଳ କରି ଗାଁ ଲୋକଙ୍କ ଆଗେ ଡେଙ୍ଗୁରା ପିଟିବ । ଗାଁ ସାରା ଲୋକେ ତାର ବଦ୍‌ନାମ ଗାଇବେ । ତୁଣ୍ଡ ବାଇଦକୁ ପୁଣି ବଳ କାହାର ? କନକ ଚୁପ୍‌ ହୋଇ ଘର ପାଇଟିରେ ଲାଗିଗଲା, କିନ୍ତୁ ମନ ଭିତରେ ତାର କୁହୁଳା ନିଆଁ ପରି ଶାଶୁ କଥାଗୁଡ଼ାକ କୁହୁଳିବାକୁ ଲାଗିଲା । ଦିନେ ନୁହେଁ, ଅଧେ ନୁହେଁ ସବୁଦିନେ ଭଲରେ ମନ୍ଦରେ ତା’ ଉପରେ ଗାଳି, ଛି ଛାକର ! ଏତେ ଗଞ୍ଜଣା–ଏତେ ହୀନିମାନ ମଣିଷ ପୁଣି ସହିବ ? କନକର ଆଖି ଯୋଡ଼ିକ ଛଳଛଳ ହୋଇ ଆସିଲା ।

 

ଆଉ ତାର ସ୍ୱାମୀ; ସେ ବି ମଣିଷ ନୁହଁନ୍ତି । ପର ଝିଅକୁ ହାତ ଧରି ବାହା ହୋଇଥିଲେ ତାକୁ କଣ ଏଇ ଦହଗଞ୍ଜ କରି ମାରିବା ପାଇଁ ! ବରଷକ ବାରମାସ ତ ବିଦେଶରେ । ଏଣେ ପର ଝିଅଟି ମଲା କି ଗଲା–ତାଙ୍କର ଯାଏ ଆସେ କେତେ ! ହାଇରେ ବିଧାତା, କରମ ଫାଟିଲେ ପୁଣି ଏଇୟା ହୁଏ । କନକ ଆଖିରୁ ଲୁହ ପୋଛିଲା ।

 

ନା, ଆଉ ସହି ହେବ ନାହିଁ, କି ରହି ହେବ ନାହିଁ ! ଠିକ୍‌ କଲା ଆଜି ସେ ସବୁକଥା ସଫା ସଫା ତାଙ୍କ ପାଖକୁ ଚିଟାଉରେ ଲେଖି ଜଣେଇବ । ଶୀଘ୍ର ସେ ଏହାର କିଛି ବ୍ୟବସ୍ଥା କରିବେ ତ କରିବେ, ନୋହିଲେ ତେଣିକି ତା’ କଥା ସେ କରିବ !

 

ଦ୍ୱିପ୍ରହରେ ଶାଶୁ ଖାଇ ପିଇ ଶୋଇଲାରୁ କନକ ମିଶିର ଘର ସାନ ପୁଅ ବଇଦାକୁ ଯାଇ ଡାକି ଆଣିଲା । ବଇଦା କଲମ ଦୁଆତ ଧରି ପହଞ୍ଚିଲା । ବାଡ଼ିପଟ ସଜନା ଗଛମୂଳେ ବସି କନକ ଥରେ ଚାରିଆଡ଼େ ଆଖି ବୁଲେଇ ଆଣି ଥିଇରି ଥିଇରି ଡାକିଲା, ବଇଦା ଲେଖିଲା–

 

ଓଁ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଚରଣେ ଶରଣ । ତୁମ ସୁଖ ଦୁଃଖକୁ ସ୍ୱୟଂ ମା ଗଙ୍ଗା କାଳୀ ଚତୁର୍ଦ୍ଧାମୂରତି ଅଛନ୍ତି । ଆମ ସୁଖ ଦୁଃଖକୁ ବାବା ଜଗନ୍ନାଥ ବଡ଼ ଠାକୁରେ ଅଛନ୍ତି । ଲେଖିବାର କାରଣ ଏହିକି ଯେ–ତୁମେ ବରଷେ ହେବ ବିଦେଶ କରି ଗଲଣି, ଘରକୁ ଥରେ ଆସିବାକୁ ତୁମ ମନ କଣ ବଳୁ ନାଇଁ ? ତୁମ ମନରେ ଯଦି ଏତେ କଥା ଥିଲା, ତା’ହେଲେ ପର ଝିଅକୁ କାହିଁକି ଘରକୁ ଆଣିଲ ? ଆମେ ଏଣେ ମଲୁ କି ଗଲୁ–ସେ ଖବର ଟିକିଏ ନେଲ ନାଇଁ । ଆମେ ଆଉ ଦିନରାତି ଏତେ ଶାଶୁ ଗଞ୍ଜଣା ସହି ପାରିବୁ ନାଇଁ, କି ଏ ଘରେ ରହି ପାରିବୁ ନାଇଁ । ଆମେ କାହାର ଶହେ ଷାଠିଏ ଖାଉ ନା ଧାରୁ ? ଆମଙ୍କୁ କାହିଁକି ତୁମ ମା’ ବାର କଥା କାଢ଼ିବ, ପୁଣି ମୁଣ୍ଡି ପହଁରାରେ ପିଟିବ ? ଭଲାରେ ପର ଝିଅ ହେଲୁ ବୋଲି ଆମର କଣ ମାନ ମହତ ନାଇଁ-? ବଞ୍ଚିଥିଲେ ସଂସାରରେ ଆମକୁ କଣ ଭାତ ମୁଠାଏ ମିଳିବ ନାଇଁ ? ଆମ ଜୀବନ ଧିକ୍‌ ହେଲା-! ତୁମେ ଚାଣ୍ଡେ ଘରକୁ ଆସି ଏ କଥା ବିଚାର କର, ନୋହିଲେ ଆମ କଥା ଆମର, ତୁମ କଥା ତୁମର ! ଆମେ ତିନିଦିନ ହେଲା ଉପାସ ରହିଛୁଁ ବୋଲି, ଜାଣିବ । ତୁମେ ଜଲଦି ଆସି ଏହାର ବ୍ୟବସ୍ଥା କର । ଇତି ।

 

କନକର ବେରିଂ ଚିଠି ପାଇ ତାର ସ୍ୱାମୀ ଧନିଆ ଗୋଟିଏ ହପ୍ତା ଛୁଟି ନେଇ କଲିକତାରୁ ତରବର ହୋଇ ପଳେଇ ଆସିଲା । ମା’ ବୁଢ଼ୀ ଉପରେ ସେ ରାଗି ଏକାବେଳେ ନିଆଁ-

 

ଚିଟାଉ ନାଇଁ, ପତର ନାଇଁ, ଧନିଆକୁ ହଠାତ୍‌ ଘରେ ପହଞ୍ଚିବାର ଦେଖି ଧନିଆ ମା’ ଛାତିରେ ଛନକା ପଶିଗଲା–ପୁଣି କଲିକତାରେ ହିନ୍ଦୁ ମୁସଲମାନ ହାଣକାଟ ଲାଗିଲା କିଲୋ ମା ! ସେ ଅତି ଉଚ୍ଛନ୍ନ ହୋଇ ପଚାରିଲା–‘କିରେ ଧନିଆ, ହାଲ୍‌ କଣ ? ଭାଷା ନାହିଁ, କି ପତର ନାହିଁ, ଇମିତି କଣ ଖାଲି ଖାଲି ଅଇଲୁ ବାହାରି !’

 

ଧନିଆ ତ ଆଗରୁ ରାଗିଛି, ମାଆର ହଠାତ୍‌ ଏ ପ୍ରଶ୍ନରେ ସେ ପାଟି କରି ଉଠିଲା–‘ଆଉ କଣ ଜୀବନଟା ଯାକ ଖଟି ଖଟି ମୁଁ ତେଣେ ମରୁଥାନ୍ତି, ଆଉ ତୁ’ ଏଣେ ମଉଜରେ ଖାଇ ପିଇ ଘରେ ବସି ବୋହୂ ଉପରେ ଛାଞ୍ଚୁଣି ମାଡ଼ ଚଳେଇ ଥାନ୍ତୁ ! ତୋ ଇଚ୍ଛାଟା କଣ ? ମୁଁ କଣ ଆଉ ଘରକୁ ଆସନ୍ତି ନାହିଁ ?’

 

ପୁଅର ଏପରି ଉତ୍ତରରେ ମା’ ଏକାବେଳେ ଚୁପ୍‌ । କଥା କଣ ? ଧନିଆ ମୁହଁରେ ଆଜି ଏ କି ଅଲକ୍ଷଣା କଥା ! ଚାରି ବରଷ ବେଳୁ ବାପ ମରିଗଲା, ପର ଘରେ ମୂଲ ଲାଗି ସେ ଧନିଆକୁ ମଣିଷ କରିଛି । ଦିନେ ହେଲେ ତ ମା’ ମୁହଁରେ ଧନିଆ ଏପରି ଯବାବ ଦେଇ ନାଇଁ ! ଆଜି କଣ ତା ମଥା ବିଗିଡ଼ି ଯାଇଛି ? ବୁଢ଼ୀ କିଛି ବୁଝି ପାରିଲା ନାଇଁ । ସେ ଯାଇ ଗାଁରେ ୟା ତା’ ପାଖରେ ଏ କଥା ସବୁ କହିଲା । କେତେକ ବୁଢ଼ାବୁଢ଼ୀ ଏ କଥା ଶୁଣି କହିଲେ–‘କିଛି ନାଇଁ ଧନିଆ ମା, ପୁଅକୁ ତୋର କିଏ ମନ୍ତର କରିଛି, ତା କଥା ବିଗାଡ଼ି ଦେଇଛି । ତୁ ଚଞ୍ଚଳ ନିଧି ଗୁଣିଆ ପାଖକୁ ଦଉଡ଼ ! ବୁଝିଲୁ ଧନିଆ ମା, ଏ ଗାଁରେ ପରର ଅନିଷ୍ଟ କରିବାକୁ ଲୋକ କଣ ଅଭାବ ଅଛନ୍ତି ? ଏ କଳିକାଳଟି, ହୁଁ...

 

ଧନିଆ ମା’ ମଥାରେ ହାତଦେଇ ବସି ପଡ଼ିଲା । ଠିକ୍‌ କଥା, ଭଲ ପୁଅଟା ନୋହିଲେ ଇମିତି ପାଗଳା ହୁଅନ୍ତା କିମିତି ? କଳିହୁଡ଼ି ଧନିଆ ମା’ ବାଟସାରା ଗାଳି ଦେଇ ଦେଇ ଅତରଛରେ ନିଧି ଗୁଣିଆ ଘରକୁ ଧାଇଁଲା–‘ଆରେ ଡାକୁଣୀଖିଆ, ଆରେ ଅଳପେଇସା, ତୁମ ବଅଁଶ ବୁଡ଼ୁ !’ ତୁମେ ମୋ’ ପୁଅକୁ ବିଗାଡ଼ିଲ, ତମ ପୁଅ ଝିଅଙ୍କୁ ବିଧାତା ବିଗାଡ଼ୁ ।’

 

ସବୁକଥା ଶୁଣି ନିଧି ଗୁଣିଆ ଆଖିବୁଜି ମନ୍ତ୍ର ପଢ଼ିଲା । ପଢ଼ିସାରି ଧନିଆ ମା’କୁ କହିଲା–‘ଆଲୋ ହେ ଖେଣ୍ଟେଇ ବୁଢ଼ୀ, ମିଛଟାରେ ଏତେ ଛାନିଆଁ ହେଉଛୁ କିଆଁ ? ତୋ ପୁଅ ଦେହରେ ପ୍ରେତ ପରବେଶ ହୋଇଛି । ସେ ପ୍ରେତ କିଛି ନୁହେଁ । ମହା ମହାପ୍ରେତ ମୁଁ ଏଇ ହାତରେ ଯବତ୍‌ କରିଛି, ଏତ ଖୁବ୍‌ ସାମାନ୍ୟ ! ତୁ କିଛି ଭାବନା କରନା ! ଯା, ଚାରଣା ପଇସା, ଆଉ ଗୁଆଟିଏ ଆଣି ମୁଣ୍ଡରେ ମାରି ମୋତେ ଦେଇଯା । କାଲି ସକାଳେ ଦେଖିବୁ, ପ୍ରେତ କୁଆଡ଼େ ଛାଡ଼ି ଯାଇଥିବ । ତୋର ଯେଉଁ ଭଲ ପୁଅକୁ ସେଇ ଭଲ ପୁଅ !’

 

ଧନିଆ ମା’ ପଇସା ଚାରଣା ଓ ଗୁଆଟିଏ ମଥାରେ ମାରି ଆଣି ଗୁଣିଆକୁ ଦେଇଗଲା । ସେଦିନ ରାତିସାରା ଧନିଆ ମା’ ଆଖିକି ନିଦ ନାହିଁ । ବିଛଣାରେ ପଡ଼ି ସେ ଖାଲି ଭଗବାନଙ୍କୁ ଡାକୁଛି–‘ହେ ଭଗବାନ, ମୋ ପୁଅକୁ ଭଲ କରିଦିଅ ! ତା’ ମଥା ବିଗିଡ଼ି ଯାଇଛି, ତାକୁ ସୁବୁଦ୍ଧି ଦିଅ-!’

 

ଏଣେ ଅନ୍ୟ ଘରେ କନକ ଓ ଧନିଆଙ୍କ ଭିତରେ ଫୁସ୍‌ଫାସ୍‌ କଥାବାର୍ତ୍ତା ଚାଲିଛି । କନକ କହୁଛି–‘ନା, ମୁଁ ଆଉ ତମ ମା’ ବୁଢ଼ୀର ଦାଉ ସହି ପାରିବି ନାହିଁ । ତମେ ଆସିଛ, ଏହାର କିଛି କିନାରା କରି ଦେଇ ଯାଅ । ଆମେ ଦି’ଜଣ ଅଲଗା ରୋଷେଇରେ ଚଳିବା, ସେ ତାର ଅଲଗା ରହୁ ।’

 

ଧନିଆ ମଥାରେ ଆସି ଶକତ ଏକ ବୋଝ ପଡ଼ିଲା । ଏକଆଡ଼େ ମା’, ଅନ୍ୟଆଡ଼େ ସ୍ତ୍ରୀ-! ଧନିଆ ଏବେ କା’ ମୁହଁକୁ ଚାହିଁବ ? ତାଠାରୁ କୌଣସି ଉତ୍ତର ନ ପାଇ କନକ ଅଭିମାନ କରି ବସିଲା–‘କଣ କହୁଛ ? ପାରିବ ନାଇଁ ? ତେବେ ମୁଁ ତୁମର ପୋଇଲି ନା ପରିବାରୀ-?’ କନକ ସେଇ ଅନ୍ଧାରରେ ସୁଁ ସୁଁ ହୋଇ କାନ୍ଦି କହିଲା–‘‘ହାଇରେ ମୋ କରମରେ ଏଇୟା ଥିଲା ? ଯାହାକୁ ହାତ ଧରି ବାହା ହେଇଥିଲି, ସେ ମୋ ସୁଖ ଦୁଃଖକୁ ଟିକିଏ ଚାହିଁବ ନାହିଁ ? ମୋର ଆଉ ଏଠି ନିଜର ବୋଲି କିଏ ଅଛି ? କାଲି ସକାଳୁ ଉଠି ମୁଁ ମୋ ବାପ ଘରକୁ ଯାଉଛି । ତମେ ତମ ମା’କୁ ଘେନି ସୁଖରେ ରୁହ !’

 

କନକର କାନ୍ଦଣା ଦେଖି ଧନିଆ ବ୍ୟସ୍ତ ହୋଇ ପଡ଼ିଲା । ସେ କନକର ହାତଧରି ଅତି ଆଦର ସହକାରେ କଣ କହିବାକୁ ଯାଉଛି, କନକ ତାର ହାତ ଦି’ଟାକୁ ଛିଞ୍ଚାଡ଼ି ଦେଇ କହିଲା–‘ରଖିଦିଅ ସେ ଅଲଣା ସୁଆଗ ! ଏଇ ଦି’ କଥାରୁ କଥାଏ ମୋତେ ସଫା ସଫା କହ । ତେବେ ଯାଇ ତମର ମୋର ଭଲ, କନକ ଆରକଡ଼କୁ ମୁହଁ ବୁଲେଇ ଦେଇ ଶୋଇଲା ।

 

ବୋଧଶୋଧର ଆଉ କିଛି ଉପାୟ ନ ଦେଖି ଧନିଆ କନକକୁ କୋଳରେ ଧରି ତୁନି ତୁନି କହିଲା–‘ମୋ ରାଣ, ତମେ ଆଉ କାନ୍ଦନା ! ତମେ ଯାହା କହୁଛ, ତା ନିଶ୍ଚେ କରିବି । କାଲି ସକାଳୁ ଉଠି ମା’କୁ ଅଲଗା କରିଦେବି । କାଲିଠୁଁ ତା କଥା ତାର, ଆମ କଥା ଆମର । ତମୁକୁ ଆଉ ସାତପର କରି ଗାଳି ଦେବାକୁ କେହି ନ ଥିବେ ।’

 

କନକ ସେଇଠୁ ତୁନି ହୋଇ ଧନିଆର ବେକ ଚାରିପଟେ ନିଜ ବାହୁ ଦୁଇଟିକୁ ଛନ୍ଦି ଦେଇ କହିଲା–‘ସତେ ମୋ ଦୁଃଖ ଯିବ !’

 

ଧନିଆ କନକକୁ ଛାତିରେ ଜାବୁଡ଼ି ଧରି ତା କାନ ପାଖରେ ମୁହଁ ଲଗେଇ ଥିରି ଥିରି କହିଲା–‘ନିଶ୍ଚେ, ନିଶ୍ଚେ ।’

 

X X X

 

ଧନିଆ ମା’ ଭାଗ୍ୟରେ ସେଦିନ କି ଖରାପ ବେଳରେ ରାତି ପାହିଥିଲା କେଜାଣି, ସକାଳୁ ଉଠି ଧନିଆ ତାକୁ ସଫା ସଫା କଥା ଶୁଣେଇ ଦେଲା–‘ହେ ମା’, ତୁ ଆଜିଠୁଁ ମୋର କେହି ନୁହେଁ । ମୋର ଭାରିଯାକୁ ତୁ ଗାଳିମାଡ଼ ଦେଇନୁ, ଦେଇଛୁ ମତେ । ତୁ ଏ ଘରୁ ଆଜିଠୁ ବାହାରି ଯା-। ନୋହିଲେ ତୁ ତୋର ଅଲଗା ବନ୍ଦୋବସ୍ତ କରି ଚଳ ।’

 

ଧନିଆ ମା’ର ହଲକ ଶୁଖିଗଲା, ସେ ମୁହଁକୁ ଶୁଖେଇ କହିଲା–‘ହଇରେ ଧନିଆ, ମୋର କି ଦୋଷ ? ତୋ ଭାରିଯାକୁ ମୁଁ ଟିପ ଛୁଇଁବାକୁ ଯିବି କାଇଁକି ? ସେ ଖାଲି ମିଛରେ ମୋ ନାଁ ରେ ଖୁଞ୍ଚା ପେଲୁଛି ।’

କନକ ଏ କଥା ଶୁଣି ରାଗରେ ଗରଜି ଆସିଲା–‘ହଇଲୋ’ ମୁଁ ଖୁଞ୍ଚା ପେଲିଲେ ମୋ ଜିଭ ଛିଣ୍ଡି ପଡ଼ିବନି ? ତୁ ମୋତେ ବାରକଥା କହି ଗାଳି ଦେଉନା ? ମୋତେ ତୁ ଛାଞ୍ଚୁଣିରେ ପିଟୁନା ? ସତ କହ, ଉପରେ ଧରମ ଦେବତା ଅଛନ୍ତି ।’

ଧନିଆ ମା’ ତାଜୁବ ହୋଇ ଏଡ଼େ ଏଡ଼େ ଆଖି କାଢ଼ି କହିଲା–‘ହାଇରେ ବିଧାତା, ତୁଇ ଦିନରାତି କରୁଛୁ, ତୁ ସବୁ କଥା ଜାଣୁ । ଏ କଥା ସତ କି ମିଛ ତୁଇ ବିଚାର କରିବୁ ।’

କଲିକତି ଗାମୁଛାକୁ କମରରେ ଭିଡ଼ି ଧନିଆ ଗମ୍ଭୀର ହୋଇ କହିଲା–‘ସେ ସତ ମିଛ ପ୍ରମାଣ ନେବାକୁ ମୁଁ ଏଠିକି ଆସିନି । ଯା ହେଲା ହେଲା, ତୁ ଏବେ ଆମଠୁଁ ଅଲଗା ରହି ଚଳ !’

ଧନିଆ ମା’ କାନ୍ଦି ପକେଇଲା–କହିଲା, ‘ହଇରେ ଧନିଆ, ତୋତେ ମଣିଷ କଲା କିଏ-? ଦିନେ ତ ତୋ ମୁହଁରୁ ଇମିତି କଥା ଶୁଣି ନ ଥିଲି । ଆଜି ଆଖି ଫିଟିଲାକୁ–ଦି’ହାତ ହେଲାକୁ.......’

‘ଚୁପ୍‌କର’–ଧନିଆ ରାଗିଗଲା–‘ମୁଁ ଆଉ କଉଣସି କଥା ଶୁଣିବି ନାହିଁ । ତୁ’ ମୋ ମା ନୁହେଁ, ରାକ୍ଷସୀ । ତୋ ସହିତ ଆମର କାରବାର କଣ ? ମୁଁ ଯାଏଁ, ଗାଁରୁ ପାଞ୍ଚଜଣ ଭଦ୍ରଲୋକ ଡାକି ଆଣି ଘରବାଡ଼ି ଜିନିଷପତ୍ର ଭାଗ ବଣ୍ଟୁରା କରିଦିଏଁ । ଆଉ କିଛି ଗଣ୍ଡଗୋଳ ରହିବ ନାଇଁ ।’

ଧନିଆ ଚାଲିଗଲା । ମା’ ତାର ଦାଣ୍ଡ ଦୁଆରେ ବସି କଇଁ କଇଁ ହୋଇ କାନ୍ଦୁଥାଏ, ଆଉ ଭାବୁଥାଏ–ଅଳପେଇସା ଗୁଣିଆଟା କଲା କଣ ? ଟିକିଏ କରାମତି ଦେଖାଇଲା ନାହିଁ ? ବୁଢ଼ୀର ଏ ସକେଇ କାନ୍ଦଣା ଦେଖି କନକ ତେଣେ ଘର ଭିତରେ ହସି ହସି ଫାଟି ପଡ଼ୁଥାଏ ।

ଗାଁର ଭଦ୍ରଲୋକେ ଧନିଆର ଏ ମତିଗତି ଦେଖି କାବା ହୋଇଗଲେ ।

ଘରର ସମସ୍ତ ଜିନିଷପତ୍ର ବଣ୍ଟୁରା ହେଇଗଲା । ଧନିଆ ମା’ ସେ କଥାରେ ମନ ନ ଦେଇ ଧନିଆ ହାତ ଧରି ପକାଇ କହିଲା–‘ମୋ ବାପଟା, ମୋ ଧନଟା ! ଯା’ ହେବାର ହେଲା, ଏବେ ମୋ କଥା ମାନ । ରାଗ କରୁଛୁ କା’ ଉପରେ ? ମୁଁ ପରା ତୋର ଜନମ କଲା ମା ।’

ଧନିଆ କିଛି ଶୁଣିଲା ନାହିଁ, ମୁହଁ ବୁଲେଇ ଦେଇ ଚାଲିଗଲା । ହପ୍ତାକ ଛୁଟି କଟେଇ ସେ ଯେତେବେଳେ କଲିକତା ବାହାରିଲା, କନକ ହସି ହସି ତାକୁ ବିଦାୟ ଦେଲା । କିନ୍ତୁ ମା’ ବୁଢ଼ୀ ତାରି ଅଖିଆ ଅପିଆ ଦି’ ଆଖିରେ ଆଖିଏ ଲୁହ ପୁରେଇ ଦାଣ୍ଡ ଦୁଆରେ ବସି ଧନିଆର ଯିବା ପଥକୁ ଚାହିଁ ରହିଲା ।

ଧନିଆ ଚାଲିଗଲା । ମା’ ତାର ଲୁହଭରା ଆଖିରେ କାନ୍ଥରେ ମୁଣ୍ଡିଆମାରି ଡାକିଲା–‘ହେ ଭଗବାନ, ଧନିଆକୁ ମୋର ସୁବୁଦ୍ଧି ଦିଅ, ତାର ମଙ୍ଗଳ କର ।’

Image

 

କେଶରୀ କନ୍ୟା ନନ୍ଦିକା

 

ନିସ୍ତବ୍‌ଧ ଅର୍ଦ୍ଧରାତ୍ର ।

 

ସମଗ୍ର ବାରଣାସୀ କଟକ ସୁପ୍ତ, ଅଚେତନ । ବେଳେବେଳେ ରାଜପ୍ରାସାଦ ମଧ୍ୟରେ ଜାଗ୍ରତ ପ୍ରହରୀମାନଙ୍କ ଅସ୍ତ୍ରର ଝଣତ୍‌କାର ରାତ୍ରିର ଗଭୀର ନୀରବତା ଭଙ୍ଗ କରୁଥିଲା । ଦୂରରେ-କାଠଯୋଡ଼ି ଅପର କୂଳରେ ଶତୃ ଶିବିରରୁ ଦିଶୁଥିଲା ମଶାଲର ମଳିନ ଆଲୋକ ।

 

ହଠାତ୍‌ ରାଜକନ୍ୟା ନନ୍ଦିକାଙ୍କର ଶୟନ କକ୍ଷ ଦ୍ୱାରରେ ଘନଘନ କରାଘାତର ଶବ୍ଦ ଶୁଭିଲା ।

 

ରାଜକନ୍ୟା ନିଦ୍ରିତା ନ ଥିଲେ । ନିଜକୁ ଯୋଦ୍ଧା ବେଶରେ ସଜ୍ଜିତ କରି ଉତ୍‌କ୍ଷିପ୍ତ ଭାବରେ ଘୂରି ବୁଲୁଥିଲେ ସେହି ଶୟନ କକ୍ଷ ମଧ୍ୟରେ । କମନୀୟ ହେମ ଗୌର ମୁଖମଣ୍ଡଳରେ ଫୁଟି ଦିଶୁଥିଲା ଏକ ବୀରତ୍ୱ-ବ୍ୟଞ୍ଜକ ଭାବ । ତାଙ୍କର ଦକ୍ଷିଣ ହସ୍ତଟି ମୁଠାଇ ଧରିଥିଲା ଏକ ଜ୍ୟୋତିର୍ମୟ ମଣି ଏବଂ ବାମ ହସ୍ତଟି ବଜ୍ର ମୁଷ୍ଠିରେ ଧରିଥିଲା କଟ-ତଟସ୍ଥ ଶାଣିତ ତରବାରି ।

 

ଦ୍ୱାରଦେଶର ସେହି ନିର୍ଦ୍ଦିଷ୍ଟ କରାଘାତକୁ ହିଁ ନନ୍ଦିକା ଅପେକ୍ଷା କରୁଥିଲେ, ବ୍ୟଗ୍ର ଭାବରେ ଯାଇ ଦ୍ୱାର ଉନ୍ମୁକ୍ତ କଲେ ।

 

–‘‘ସମସ୍ତ ପ୍ରସ୍ତୁତ ତ ସରମା ?’’

 

–‘‘ହଁ, ବାହାରେ ଅଶ୍ୱ ପ୍ରସ୍ତୁତ । ତୁମେ ଦୁର୍ଗର ଦକ୍ଷିଣ ଦିଗରେ ଥିବା ସେହି ଗୁପ୍ତଦ୍ୱାର ଦେଇ ବାହାରକୁ ଯିବ ଜେମା ଦେଈ । ମୁଁ ଅସ୍ତ୍ରାଗାରରୁ ଆଉ କିଛି ଅସ୍ତ୍ର ଧରି କାଠଯୋଡ଼ି କୂଳରେ ତୁମକୁ ଭେଟିବି ।’’

 

ସରମା ଧୀର ପଦକ୍ଷେପରେ ଅନ୍ତର ହୋଇଗଲା ।

 

ନନ୍ଦିକା ଦ୍ୱାର ଦେଶରେ ଶିର ନୁଆଇଁ କାହା ଉଦ୍ଦେଶ୍ୟରେ ନିଜର ପ୍ରଣତି ଜଣାଇଲେ । ତା’ପରେ କକ୍ଷ ମଧ୍ୟରୁ ବାହାରି ପଡ଼ିଲେ ବୀର ଦର୍ପରେ ।

 

ସ୍ୱ ହସ୍ତର ଜୈତ୍ର ମଣିଟିକୁ ସେ ଶେଷଥର ପାଇଁ ଭଲ କରି ଦେଖି ନେଲେ । ପ୍ରାଣ ମଧ୍ୟରେ ତାଙ୍କର ଝଙ୍କୃତ ହୋଇ ଉଠିଲା–ଏ ବିରାଟ ଜାତିର ଗୌରବ ଗାଥା ଏବଂ ନିଜ ମାତୃଭୂମିର କରୁଣ ଆହ୍ୱାନ ।

 

ନିର୍ଦ୍ଦିଷ୍ଟ ସ୍ଥାନରୁ ଅଶ୍ୱାରୋହଣ କରି ନନ୍ଦିକା ଛୁଟି ଚାଲିଲେ ।

 

ନିର୍ଜନ, ନିସ୍ତବ୍‌ଧ କାଠଯୋଡ଼ି କୂଳରେ ହଠାତ୍‌ ଅଶ୍ୱର ଗତି ମନ୍ଥର ହୋଇଗଲା । ନନ୍ଦିକା ଜୈତ୍ର ମଣିଟିକୁ ଗଭୀର ନଦୀ ଜଳରେ ନିକ୍ଷେପ କଲେ । କ୍ଷଣକ ପାଇଁ ସ୍ଥାନଟିକୁ ଉଜ୍ଜ୍ୱଳ ଦୀପ୍ତ କରି ମଣିଟି ଅତଳ ଜଳରେ କାହିଁ ଲୁଚିଗଲା ।

 

ବହୁକ୍ଷଣ ପର୍ଯ୍ୟନ୍ତ ନନ୍ଦିକା ସେହି ଦିଗକୁ ଚାହିଁ ରହିଲେ–

 

ଯାଉ, ହଜିଯାଉ ମଣି ! ଚଣ୍ଡିକାଙ୍କର ନିର୍ଦ୍ଦେଶ ବ୍ୟର୍ଥ ହେଉ ! ଉତ୍କଳ ନିଜ ଗୌରବ ଗରିମା ବଜାୟ ରଖୁ ! ଶତୃ ସହ ସମ୍ମୁଖ ଯୁଦ୍ଧରେ ନିଜ ବୀରତ୍ୱର ପରିଚୟ ଦେଉ ! ନିଜର ଶକ୍ତି ସାହସ ଭୁଲି ଦୈବୀଶକ୍ତି ବଳରେ ଜଡ଼ ନିଶ୍ଚେଷ୍ଟ ହୋଇ କାପୁରୁଷ ଭାବେ ଆତ୍ମରକ୍ଷା କରିବାର କଳଙ୍କ ଏ ଜାତି ଅର୍ଜନ ନ କରୁ !

 

ନନ୍ଦିକା ଆନନ୍ଦରେ ଉଲ୍ଲସିତ ହୋଇ ଉଠିଲେ । ନିଜର ବୃଦ୍ଧପିତା ଶକ୍ତି-ସାହସହୀନ, ଯୁଦ୍ଧପାଇଁ ପଶ୍ଚାତ୍‌ପଦ । ମାତ୍ର ଶରୀରରେ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ସେ ନିଜେ ଶତୃ ସହିତ ଯୁଦ୍ଧ କରିବେ–ଜନ୍ମଭୂମିର ସ୍ୱାଧୀନତା ରକ୍ଷା ପାଇଁ ଆପ୍ରାଣ ଚେଷ୍ଟା କରିବେ ।

 

ଶତୃ ସେନାପତି–ଚୋଳଗଙ୍ଗ । ଏ ନାମ ସ୍ମରଣରେ ନନ୍ଦିକା ହଠାତ୍‌ ବ୍ୟଥାତୁରା ହୋଇ ପଡ଼ିଲେ । ହୃଦୟଦେବତା ରୂପେ ମନେମନେ ସେ ଯାହାକୁ ବରଣ କରିଛନ୍ତି, ମନ୍ତ୍ରୀ ବାସୁଦେବଙ୍କ ହସ୍ତରେ ଯାହା ନିକଟକୁ ନିଜ ଗଭୀର ପ୍ରେମର ଅଭିଜ୍ଞାନ ପଠାଇ ସାରିଛନ୍ତି, ତାହାର ବିରୁଦ୍ଧରେ ଆଜି ସେ ଅସି ଉତ୍ତୋଳନ କରିବେ ? ପ୍ରେମିକାର ତରବାରି ପ୍ରେମିକ ରକ୍ତରେ ରଞ୍ଜିତ ହେବ ? ହା ରେ ଦୁର୍ଭାଗ୍ୟ !

 

ପଶ୍ଚାତ୍‌ ଦେଶରୁ ସହସା ଅଶ୍ୱର ଟାପୁ ଶବ୍ଦ ଶୁଣାଗଲା । ବଳପୂର୍ବକ ମନରୁ ସମସ୍ତ ଦୁର୍ବଳତା ଦୂର କରି ନନ୍ଦିକା ପ୍ରସ୍ତୁତ ହେଲେ । ଅଶ୍ୱାରୋହିଣୀ ଜଣକ ନିକଟକୁ ଆସି ପ୍ରଶ୍ନ କଲେ–‘‘କାର୍ଯ୍ୟ ଶେଷ ହେଲା ଜେମା ଦେଈ ! ଏବେ ଆସ !’’

 

–‘‘ଚାଲ୍‌ ସରମା, ଭୁବନେଶ୍ୱରଙ୍କ ଆଶୀର୍ବାଦ ଆମ ଶିରରେ ।’’

 

X X X

 

ନିସ୍ତବ୍‌ଧ ଅର୍ଦ୍ଧରାତ୍ରରେ ଚୋଳଗଙ୍ଗଙ୍କ ଶିବିରରେ ହଠାତ୍‌ ସତର୍କ ଶିଙ୍ଘା ବାଜି ଉଠିଲା । ଶତୃ ଆକ୍ରମଣର ଆଶଙ୍କା ନ ଥିବାରୁ ଶିବିରର ସମସ୍ତ ସୈନ୍ୟସାମନ୍ତ ନିଦ୍ରାଭିଭୂତ ଥିଲେ । କେବଳ ବୀର ଚୋଳଗଙ୍ଗ ଜାଗ୍ରତ ଅବସ୍ଥାରେ ବସି ବସି ଭାବୁଥିଲେ–ଏ ଯୁଦ୍ଧ ଅଭିଯାନର ଭବିଷ୍ୟତ୍‌ କଥା । ଅକସ୍ମାତ୍‌ ଶିଙ୍ଘାନାଦ ଶୁଣି ସେ ଅସି ହସ୍ତରେ ବାହାରକୁ ବାହାରି ଆସିଲେ । ସମ୍ମୁଖରେ ଦେଖିଲେ–ଯୋଦ୍ଧୃବେଶରେ ଅଶ୍ୱାରୂଢ଼ ଏକ ରୂପସୀ ନାରୀ ପ୍ରତିମା ।

 

କ୍ଷଣକାଳ ପାଇଁ ଚୋଳଗଙ୍ଗ ବିସ୍ମୟ ମୁଗ୍‌ଧ ନୟନରେ ଚାହିଁ ରହିଲେ ସେଇ ନାରୀ ମୂର୍ତ୍ତିକୁ । ତା’ପରେ ନିଜର ଅସି ଉନ୍ମୋଚନ କରୁ କରୁ ପ୍ରଶ୍ନ କଲେ–‘‘କିଏ ?’’

 

–‘‘ଶତୃପକ୍ଷର ନାରୀ-ସେନା ମଧ୍ୟରୁ ଜଣେ ସାଧାରଣ ସେନିକା ।’’

 

–‘‘ଅର୍ଦ୍ଧରାତ୍ରରେ ଏପରି ଅତର୍କିତ ଭାବେ ଏକାକୀ ଶତୃ ଶିବିର ମଧ୍ୟରେ ପ୍ରବେଶ କରିବାର ଉଦ୍ଦେଶ୍ୟ ?’’

 

–‘‘ଉତ୍କଳ ବାହିନୀ ବର୍ତ୍ତମାନ ସମୂହ ଭାବେ ଯୁଦ୍ଧ କରିବାକୁ ପ୍ରସ୍ତୁତ ନୁହେଁ । ତେଣୁ ଶତୃ ସେନାପତି ସହ ଦ୍ୱନ୍ଦ୍ୱଯୁଦ୍ଧ ଅଭିଯାନରେ ମୁଁ ଆସିଛି । କାହାନ୍ତି ସେନାପତି ?’’

 

–‘‘ଆପଣଙ୍କ ସମ୍ମୁଖରେ !’’

 

–‘‘ଏଁ, ଆପଣ ! ବୀର ଚୋଳଗଙ୍ଗ ?’’

 

ନନ୍ଦିକା କାହିଁକି ଟିକିଏ ବିଚଳିତ ହୋଇ ପଡ଼ିଲେ । ମୁହୂର୍ତ୍ତକ ପରେ ନିଜକୁ ପୁଣି ସଂଯତ କରି କହିଲେ–‘‘ମୁଁ ଆପଣଙ୍କ ସହ......’’

 

‘‘ମୁଁ ପ୍ରସ୍ତୁତ !’’–ଚୋଳଗଙ୍ଗ ଅସି ଉନ୍ମୋଚନ କଲେ ।

 

କିଛି ସମୟ ପରେ ଦ୍ୱନ୍ଦ୍ୱଯୁଦ୍ଧରେ ଦୁଇଜଣଯାକ ଆହତ ହୋଇ ପଡ଼ିଲେ । ତଥାପି ଆକ୍ରମଣ ପ୍ରତି ଆକ୍ରମଣ ବହୁକ୍ଷଣ ଧରି ଚାଲିଲା । ଖ୍ୟାତନାମା ଯୋଦ୍ଧା ଚୋଳଗଙ୍ଗ ଉତ୍କଳୀୟ ନାରୀର ବୀରତ୍ୱ ଓ ରଣ କୌଶଳ ଦେଖି ମୁଗ୍‌ଧ-ଚକିତ ହେଲେ ।

 

ଅକସ୍ମାତ୍‌ ନନ୍ଦିକା ନିଜ ବକ୍ଷରେ ଏକ ଦାରୁଣ ଆଘାତ ପାଇ ଅଶ୍ୱପୃଷ୍ଠରୁ ଟଳି ପଡ଼ିଲେ ।

 

ଚୋଳଗଙ୍ଗ ଅସି ତ୍ୟାଗ କରି ପାଖକୁ ଧାଇଁଗଲେ । ନନ୍ଦିକାଙ୍କ ବକ୍ଷରୁ ଧାରଧାର ରକ୍ତ ଛୁଟୁଛି । ଚୋଳଗଙ୍ଗ ସେହି ରକ୍ତ ସ୍ରୋତ ବନ୍ଦ କରିବାକୁ ଉଦ୍ୟତ ହେବାରୁ ନନ୍ଦିକା କହିଲେ–‘‘ଥାଉ ବୀର, ମୁଁ ମୃତ୍ୟୁ ଚାହେଁ । ଜୀବନର ବ୍ରତ ମୋର ଆଜି ପୂର୍ଣ୍ଣ ହୋଇଛି । ଏବେ ତୁମରି ଚରଣ ତଳେ ମୋତେ ଶେଷ ନିଶ୍ୱାସ ତ୍ୟାଗ କରିବାକୁ ଦିଅ !’’

 

‘‘ମୋରି ଚରଣ ତଳେ ! କିଏ ତୁମେ ନାରୀ ?’’

 

–‘‘ନାରୀ ସମ୍ବୋଧନରେ ଦୂରକୁ ଅପସରି ଯାଅନା ପ୍ରିୟତମ ! ମଧୁର ପ୍ରିୟା ସମ୍ବୋଧନରେ ମୋତେ ପାଖକୁ ନିଅ, ନିଜର କର ! ମୁଁ ଉତ୍କଳର ରାଜଜେମା, କେଶରୀ କନ୍ୟା ନନ୍ଦିକା ।’’

 

–‘‘ଏଁ, ନନ୍ଦିକା । ହା କେଶରୀ କନ୍ୟା ! ଏ ଅର୍ଦ୍ଧରାତ୍ରରେ ରାଜ ଅନ୍ତଃପୁରର ତୁଳିତଳ୍ପ ଛାଡ଼ି କାହିଁକି ଏ ଦୁଃସାହସିକ କାର୍ଯ୍ୟରେ ଅଗ୍ରସର ହେଲେ ? ଯୁବତୀ ସୁଲଭ କୋମଳତା, ମହନୀୟତା ପରିତ୍ୟାଗ କରି–’’

 

–‘‘ଉପହାସ କରନା ପ୍ରିୟତମ । ନନ୍ଦିକା ଯେ ବୀର-କନ୍ୟା, ବୀର ପୂଜାରିଣୀ । ବିଖ୍ୟାତ ବୀର ଚୋଳଗଙ୍ଗଙ୍କର ପତ୍ନୀ ରୂପେ.....’’

 

‘‘–ପ୍ରଳାପ ବନ୍ଦ କର ରାଜଜେମା । ଯେଉଁ ଦେଶର ନାରୀ ସୃଷ୍ଟିର ଆଗମନୀ ନ ଗାଇ ଧ୍ୱଂସର ତାଣ୍ଡବ ରଚନା କରେ, ସେ କି କେବେ ପୁରୁଷର ପ୍ରାଣପ୍ରିୟା ହୋଇପାରେ ?’’

 

–‘‘ଉତ୍କଳୀୟ ନାରୀ ଜାତିର ଅବମାନନା କରନା ବୀର । ତୁମର ଅଯୋଗ୍ୟା ହେଲେ ବି ଶେଷ ଜୀବନରେ ମୋତେ ଟିକିଏ ଚରଣ ତଳେ ସ୍ଥାନ ଦିଅ ।’’

 

–‘‘ମୁଁ ତୁମର ଅନୁରୋଧ ରକ୍ଷା କରିବାକୁ ଅକ୍ଷମ ନନ୍ଦିକା । ଦୁର୍ଗ ମଧ୍ୟରେ ତୁମକୁ ନିରାପଦରେ ପହଞ୍ଚାଇ ଦେବାକୁ ମୁଁ ବର୍ତ୍ତମାନ ବ୍ୟବସ୍ଥା କରି ଦେଉଛି, ତୁମେ ବାହୁଡ଼ି ଯାଅ ।’’

 

ଭୂମି ଶଯ୍ୟା-ଶାୟିନୀ ନନ୍ଦିକା କରୁଣ କଣ୍ଠରେ ଆଉ ଥରେ ଚୋଳଗଙ୍ଗଙ୍କୁ ମିନତି ଜଣାଇଲେ–‘‘ପିତୃକୁଳ ମୁଁ ତ୍ୟାଗ କରି ଆସିଛି ପ୍ରିୟତମ, ବର୍ତ୍ତମାନ ପତିପଦ ମୋର ଏକମାତ୍ର ଆଶ୍ରୟସ୍ଥଳ । ମୋତେ ଦୂରକୁ ଠେଲି ଦିଅନା ।’’

 

ଚୋଳଗଙ୍ଗ ଏଥିରେ କର୍ଣ୍ଣପାତ ନ କରି ନିଜ ବିଚାରରେ ସ୍ଥିର ରହିଲେ । ଏତିକିବେଳେ ଅଶ୍ୱ ଛୁଟାଇ ଆସି ପ୍ରବେଶ କଲା ସରମା । ନିଜ ସଖୀର ଏ ସାଙ୍ଘାତିକ ଅବସ୍ଥା ଦେଖି ସେ ଧୈର୍ଯ୍ୟଧରି ପାରିଲା ନାହିଁ । ନନ୍ଦିକାଙ୍କୁ କୋଳରେ ଧରି ଅଶ୍ରୁ ବିସର୍ଜନ କରୁ କରୁ ସେ ରୋଷ-କଷାୟିତ ଜ୍ୱଳନ୍ତ ଚକ୍ଷୁରେ ଥରେ ଚାହିଁଲା ଚୋଳଗଙ୍ଗଙ୍କଆଡ଼େ । ନନ୍ଦିକା ଅତି କଷ୍ଟରେ ଧୀରେ ଧୀରେ କହିଲେ–‘‘ତାଙ୍କର କିଛି ଦୋଷ ନାହିଁ ସରମା । ଦେଶ ପାଇଁ ମୁଁ ଆପେ ଆପେ ଏ ଦଶା ବରଣ କରିଛି । ପିତାଙ୍କୁ କହିବୁ–ଏଙ୍କ ଦୋଷ ଧରିବେ ନାହିଁ; ଯେତେହେଲେ ତ ଏ ତାଙ୍କର ସନ୍ତାନ-। ଆଉ ମୁଁ; ମୋତେ ଏଇ ପତି ପଦରେଣୁ ପଡ଼ିଥିବା ଭୂମିରେ ଶେଷ ନିଶ୍ୱାସ ତ୍ୟାଗ କରିବାକୁ ଦେ-!’’

 

ଏହିତକ ନନ୍ଦିକାଙ୍କର ଶେଷବାଣୀ । ଚୋଳଗଙ୍ଗ ମୂକ ସ୍ଥବିର ପରି ଏ କରୁଣ ଦୃଶ୍ୟ ଦେଖୁଥିଲେ । ରାତ୍ରି ଧୀରେ ଧୀରେ ପ୍ରଭାତ ହୋଇ ଆସୁଥିଲା ।

 

*

ରାଧାନାଥଙ୍କ ‘ନନ୍ଦିକେଶ୍ୱରୀ’ କାବ୍ୟର ନନ୍ଦିକା ଚରିତ୍ରଚିତ୍ରଣରେ ଐତିହାସିକ ସତ୍ୟ ଆଦୌ ନାହିଁ । ବରଂ ଐତିହାସିକମାନେ ଏକମତ ଯେ ସେତେବେଳେ ଓଡ଼ିଶାର ରାଜବଂଶୀୟ ନାରୀମାନେ ଯୁଦ୍ଧବିଦ୍ୟାରେ ଅତି ନିପୁଣ ଥିଲେ । –ଲେଖକ

Image

 

ସାବିତ୍ରୀ

 

ହରିଶ୍‌ ମୁଖାର୍ଜି ରୋଡ଼ର ସେଇ ବଡ଼ ମାଂସ ଦୋକାନଟା ପାଖରେ–ନା, ମୁଁ ବୋଧହୁଏ ଭୁଲ୍‌ କରୁ ନାହିଁ–ଠିକ୍‌ ସେଇଠୁ ଯେଉଁ ସରୁ ଗଳିଟା ବାହାରିଛି, ସେଇ ଗଳିରେ...

 

ସେଇ ବିଖ୍ୟାତ ଗଳିରେ ଆପଣ ହୁଏତ ଥରେ ଅଧେ ଯା-ଆସ କରିଥିବେ । ଅନେକ ଲୋକ ଯାଆନ୍ତି ସେଠିକି । କିନ୍ତୁ କେହି ତା’ ଆଡ଼କୁ ଦୃଷ୍ଟି ଦିଅନ୍ତି ନାହିଁ । ଆପଣ ବି ତାକୁ ଲକ୍ଷ୍ୟ କରି ନ ଥିବେ ।

 

ମୁଁ ତାହାରି କଥା କହୁଛି ।

 

ସେଇ ଗଳିରେ ଆପଣଙ୍କ ନୟନ ମନକୁ ଟାଣି ରଖିଲା ଭଳି ଅନେକ ଉପାଦାନ ପାଇବେ, ଆପଣଙ୍କ ଯୌନକ୍ଷୁଧାକୁ ଉଦ୍ଦୀପିତ କଲା ଭଳି ପାଇବେ ବହୁତ ଖୋରାକ । କେତେ ବଡ଼ ବଡ଼ ଦୁଷ୍ଟ ଆଖି, କେତେ ଉଦ୍ଧତ ବୁକୁ, କେତେ ସଜ୍ଜିତ ସୁବାସିତ କବରୀ, କେତେ ବେପଥୁମାନ ସୁଗୋଲ ନିତମ୍ବ, ଆଉ କଞ୍ଚାମାଂସର ଅର୍ଦ୍ଧନଗ୍ନ ଦେହ । କିନ୍ତୁ ତା’ଠାରେ ଏ ସବୁ ଆକର୍ଷଣୀୟ ଉପାଦାନ ନାହିଁ । ଖାଲି ଯାହା ତା’ର ପିଲାଳିଆ ସୁନ୍ଦର ମୁହଁଟି–ଶାନ୍ତ, ଲାବଣ୍ୟଭରା, ସକାଳର ସଜଫୁଟା ପଦ୍ମଫୁଲଟି ସତେ କି ! ଆଖି ଯୋଡ଼ିକ ଭସାଣିଆ, ଛଳଛଳ, ଜଗତର ସମସ୍ତ କାରୁଣ୍ୟରେ ଯେପରି ପରିପୂର୍ଣ୍ଣ ।

 

ସେଇ ଅଳପ ବୟସୀ ଝିଅଟି–ଅନାଡ଼ମ୍ବର, ଆକର୍ଷଣୀୟ । ଗଳିର ନିୟମ ଭିତରେ ସେ ଯେପରି ଏକ ନିପାତନ–ପରମ୍ପରା ମଧ୍ୟରେ ବ୍ୟତିକ୍ରମ । ତାକୁ ଦେଖିଛନ୍ତି ଆପଣ ?

 

ନାଁ ତାହାର ସାବି–ସାବିତ୍ରୀ । ଘର କଟକ ଜିଲା ଟାଙ୍ଗୀ ପାଖରେ ଗୋଟାଏ କି ଗାଁ ବୋଲି କହିଥିଲା, ମନେ ନାହିଁ ।

 

ଟାଙ୍ଗୀର ମଫସଲି ଓଡ଼ିଆ ଝିଅ ଆସି କଲିକତା ମହାନଗରୀରେ କାହିଁକି ? ମା’ ଗଙ୍ଗା କାଳୀଙ୍କ ଦର୍ଶନ ପାଇଁ ନୁହେଁ–ଯାଦୁକୋଠି, କି ଚିଡ଼ିଆଖାନା ଦେଖିବା ଲାଗି ନୁହେଁ–ଖାଲି ଫୁର୍ତ୍ତିରେ ବୁଲିବା ପାଇଁ ବି ନୁହେଁ । ତେବେ କାହିଁକି ?

 

ସେଇ କଥାହିଁ କହୁଛି ।

 

–‘‘ଆପଣ ସେ କଥା ଶୁଣିବେ ? ଶୁଣି ପାରିବେ ?’’ କହୁଁ କହୁଁ ସାବିତ୍ରୀ ମୋ ଆଗରେ ଅଶ୍ରୁମୋଚନ କରିବାକୁ ଲାଗିଲା ନୀରବରେ । ହରିଶ୍‌ ମୁଖାର୍ଜି ରୋଡ଼ର ସେଇ ରୋମାଞ୍ଚକର ସରୁ ଗଳିଟା ଅତିକ୍ରମ କରୁଥିଲା ବେଳେ ସେଦିନ ସାବିତ୍ରୀର ସେଇ ଲୋଭନୀୟ ଆଖି ଯୋଡ଼ିକ ମୋତେ ଅଟକାଇ ରଖିଲା । ଆଃ... କି ପ୍ରଭାବଶାଳୀ ସେ ଆଖି ଯୋଡ଼ିକ ! ଯେପରି ଅତି ଅନ୍ତରଙ୍ଗ କଥା କିଛି ମୋତେ ନିବେଦନ କରିବାକୁ ଚାହେଁ !

 

ମୁଁ ଗଲି ।

 

ତା’ପରେ ସେଇ ଅଭାଗିନୀ ଯୁବତୀଟିର ଗତ ଦୁଇମାସର ଜୀବନ ପୃଷ୍ଠା ଗୋଟିକ ପରେ ଗୋଟିଏ ଖୋଲି ଦେଖିଲି–ନୟନ ଲୋତକରେ ଭିଜା, ହୃଦୟ କାରୁଣ୍ୟରେ ବୋଳା ସେ ପୃଷ୍ଠାଗୁଡ଼ିକ......

 

ସାବିତ୍ରୀ, କଟକ ଜିଲ୍ଲା ଟାଙ୍ଗୀର ସୁରେନ୍ଦ୍ର ବରାଳର ନବ ବିବାହିତା ସୁଶ୍ରୀ ଯୁବତୀ ସ୍ତ୍ରୀ ସାବିତ୍ରୀ, ନିଜର ହୃତ ସତ୍ୟବାନ ସ୍ୱାମୀକୁ ସେ ଯେପରି ଯମ ମୁଖରୁ ଉଦ୍ଧାର କରିବା ଲାଗି ଭୀଷ୍ମ ପ୍ରତିଜ୍ଞା ଧରି ଆସିଛି !

 

ନିବିଡ଼ ଅରଣ୍ୟ । କଣ୍ଟକମୟ ବନ୍ଧୁର ପଥ । ଚାରିଦିଗରୁ କେତେ ହିଂସ୍ର ଜାନୁଆର୍‌ ଜିଭ ଲହଲହ କରି ମାଡ଼ି ଆସୁଛନ୍ତି । ସାହା ଭରସା କେହି ନାହିଁ । ସାବିତ୍ରୀ ଏକାକିନୀ । କିନ୍ତୁ ସେ ଧୈର୍ଯ୍ୟହୀନା ନୁହେଁ–ସାହସ ହରାଇ ନାହିଁ । ଲକ୍ଷ୍ୟ ପଥରେ ଆଗେଇ ଯାଉଁ ଯାଉଁ ହଠାତ୍‌ ଏକ ହିଂସ୍ର ଜାନୁଆରର୍‌ ହୋଇଛି ଶିକାର । ହା ବିଚାରୀ !

 

–‘‘ଆପଣ ମୋର ବାପ ସମାନ, ମୋତେ ଏ ନରକପୁରରୁ ଉଦ୍ଧାର କରନ୍ତୁ । ମୋତେ ବଞ୍ଚାନ୍ତୁ ।’’ ସାବିତ୍ରୀ ମୋର ପାଦ ଯୋଡ଼ିକ ଜାବୁଡ଼ି ଧରି କଇଁକଇଁ ହୋଇ କାନ୍ଦିବାକୁ ଲାଗିଲା ।

 

ତାକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କଲି । ଦୁଃଖ ଓ ବିସ୍ମୟରେ ମୁଣ୍ଡ ମୋର ଗୋଳମାଳ ହୋଇ ଯାଇଥାଏ । ପ୍ରାଣରେ ପ୍ରଚଣ୍ଡ ବିକ୍ଷୋଭ । ସାବିତ୍ରୀ ଭୂଇଁରେ ପଡ଼ି ସେହିପରି କାନ୍ଦୁଥାଏ । ସୁସଜ୍ଜିତ ପଲଙ୍କ ତାହାର ପଡ଼ିଥାଏ ଖାଲି । ପାଖରେ ଡ୍ରେସିଂ ଟେବୁଲ ଉପରେ ନାନା ରକମ ପ୍ରସାଧନ ସାମଗ୍ରୀ, ଯେପରି ଛୋଟକାଟର ଏକ ମନୋହାରୀ ଦୋକାନ । କାନ୍ଥରେ ଝୁଲୁଥାଏ ଫରାସୀ ଓ ଚୀନା ଯୁବତୀଙ୍କର ବଡ଼ବଡ଼ ଉଲଗ୍ନ ଚିତ୍ରପଟ । ଶସ୍ତା କେମିକାଲ୍‌ ଅତର ଗନ୍ଧ ଘରସାରା ଖେଳି ବୁଲୁଥାଏ । ସେହି ଘରର–କଲିକତା ମହାନଗରୀର ଏକ କ୍ଷୁଦ୍ରାଦପି କ୍ଷୁଦ୍ର କୋଣର ଶ୍ରୀବୃଦ୍ଧି କରିବାକୁ ସଦ୍ୟ ଯାଇଥାଏ ସାବିତ୍ରୀ ।

 

ଶୁଣୁଛନ୍ତି ଆପଣ ? ଏ ଦେଶର ଚିଲିକା ମାଛ ସହିତ । ଉନ୍ନତ ବନ୍ୟସମ୍ପଦ ଆଉ ସ୍ୱଚ୍ଛଳ ଶ୍ରମିକ ଶକ୍ତି ସହିତ, ଏଇପରି କେତେ ଯେ ସାବିତ୍ରୀ କଲିକତା କାଳିମାଟିର ଶ୍ରୀବୃଦ୍ଧି ପାଇଁ ରପ୍ତାନି ହୋଇ ଯାଆନ୍ତି, ତାହାର ଖବର ରଖିଛନ୍ତି ? ଦୁଇମାସ ତଳେ ସାବିତ୍ରୀକି ସେହିପରି ରପ୍ତାନି କରିଥିଲା ଟାଙ୍ଗୀର କଲିକତି ଟାଉଟର ଗୁଣ୍ଡା ନଟ ମହାନ୍ତି ।

 

–‘‘ନଟ ମହାନ୍ତି ମୋତେ କେତେ ଭରସା ଦେଇଥିଲା, ତାଙ୍କ ପାଖରେ ମୋତେ ଆଣି ପହଞ୍ଚାଇ ଦେବ । ବିଭାଘର ଅଷ୍ଟମଙ୍ଗଳା ପରେ ପନ୍ଦର ଦିନ ଛୁଟି ପୂରେଇ ସେ କଲିକତା ଚାଲିଗଲେ । ବର୍ଷେ ହେଲା ଆଉ ଚିଠିପତ୍ର ଦେଲେ ନାହିଁ, କି ଘରକୁ ଫେରିବାକୁ ମନ କଲେ ନାହିଁ-। ଏଣେ କଳିହୁଡ଼ୀ ଶାଶୁ ଗଞ୍ଜଣାରେ ମୁଁ ପୋଡ଼ି ଜଳି ହୋଇ ମରୁଥିଲି-। ଏତିକିବେଳେ ନଟ ମହାନ୍ତି ପହଞ୍ଚି କେତେ ଆଶା ଦେଖାଇଲା, ମହାପ୍ରସାଦ ଖୁଆଇ ମୋତେ ଧରମ ଭଉଣୀ କଲା । ମୁଁ ତାହାରି ବିଶ୍ୱାସରେ ଦିନେ ରାତି ଅଧରେ ଘରୁ ଗୋଡ଼ କାଢ଼ି ବାହାରି ଆଇଲି । ତା’ପରେ......’’

 

‘‘ଥାଉ ସାବିତ୍ରୀ, ଥାଉ । ଆଉ ସେ ସବୁ ଶୁଣି ହେବ ନାହିଁ । ତୁମେ ଥୟ ଧର ।’’ ତାକୁ ଆଶ୍ୱାସନା ଦେଇ ଭୂଇଁରୁ ଉଠାଇ ବସାଇଲି ।

 

ସାବିତ୍ରୀ ଟିକିଏ ଶାନ୍ତ ହୋଇ କହିଲା–‘‘ନିଜର ପରିଚିତ ମାଉସୀ ଘର ବୋଲି କହି ନଟ ମହାନ୍ତି ମୋତେ ଏଇଠି ଏ ବୁଢ଼ୀ ପାଖରେ ଛାଡ଼ିଦେଇ ଗଲା; ଗଲା ହରିଶନ୍‌ ରୋଡ଼୍‌ରୁ ତାଙ୍କୁ ଡାକି ଆଣିବା ପାଇଁ ! ଆଉ ସେ ଅଳପେଇସା ଫେରି ନାହିଁ । ମୋତେ ଏ ବୁଢ଼ୀ ଆଗେ ରୋଷେଇରେ ଲଗେଇଲା, ଅଇଁଠା କଂସାବାସନ ଧୁଆ କରେଇଲା, ଘର ସଜାସଜି କରିବାକୁ ବରାଦ କଲା । ମୁଁ ଯେତେବେଳେ ପ୍ରକୃତ କଥାଟା ଜାଣି ପାରିଲି, ସେତେବେଳେ ମୋ ପାଇଁ ସବୁ ବାଟ ବନ୍ଦ । ମୋ ଗୋଡ଼ରେ ବେଡ଼ି, ପିଠିରେ କୋରଡ଼ା । ଶେଷରେ ନାଚାର ହେଇ......’’

 

ଛାତିରେ ଯେପରି ଗୁରୁ ବେଦନା ଅନୁଭବ କଲା ସାବିତ୍ରୀ । ଦୁଇ ହାତରେ ଛାତିଟାକୁ ଜାକି ଧରି ସେ ବିଛଣା ଉପରେ ମୁହଁ ମାଡ଼ିଦେଲା ଏବଂ ବିକଳ ହୋଇ କହିଲା–‘‘ମୋତେ ଆପଣ ଏଠାରୁ ନେଇ ଚାଲନ୍ତୁ, ନୋହିଲେ ମୁଁ ଏଇମିତି ଛଟପଟ ହେଇ ମରିବି ।’’

 

ମୁଁ ତାକୁ ବହୁତ ବୁଝାସୁଝା କରି ତା ସ୍ୱାମୀର ଠିକଣା ଘେନି ଉଠିଲି ।

 

ବହୁ କଷ୍ଟରେ ହରିଶନ୍‌ ରୋଡ଼୍‌ର ଏକ ବଡ଼ ଲୁଗା ଦୋକାନରେ ସୁରେନ୍ଦ୍ର ବରାଳର ଖବର ମିଳିଲା । ଜଣେ ପୁଞ୍ଜିପତି ମାରଓ୍ୱାଡ଼ିଙ୍କର ବିଶ୍ୱସ୍ତ କର୍ମଚାରୀ ସେ । ମାରଓ୍ୱାଡ଼ି ଶେଠ୍‌ଙ୍କ ବାସ ଭବନରେ ରହି ସେ ହରିଶନ୍‌ ରୋଡ଼ସ୍ଥ ତାଙ୍କର ଲୁଗା ଦୋକାନର ବିକ୍ରେତା ଥିଲା । ଶେଠ୍‌ଙ୍କ ଝିଅ ସହିତ ସେ ପ୍ରେମାସକ୍ତ ଥିବାର ଜାଣି ଏବେ ଶେଠ୍‌ଜୀ ତାକୁ ନିଜର ବର୍ଦ୍ଧମାନ ସହରସ୍ଥ ଦୋକାନକୁ ବଦଳି କରି ଦେଇଛନ୍ତି ।

 

ଅଗତ୍ୟା ସେଇ ମାରଓ୍ୱାଡ଼ି ଭଦ୍ରଲୋକଙ୍କୁ ସାକ୍ଷାତ କରି ସବୁ କଥା ବିସ୍ତାରିତ ଭାବରେ ତାଙ୍କ ଆଗରେ ବର୍ଣ୍ଣନା କଲି ଏବଂ ବିନୀତ ଭାବରେ ଦୁଇଟି ପ୍ରାଣୀର ଜୀବନ ଭିକ୍ଷା କଲି । ଦୟାଶୀଳ ସେଠଜୀ ଏ ଦୁଇଟି ଜୀବନ ଉଦ୍ଧାର କରିବା ପାଇଁ ମୋତେ ନିର୍ଭର ପ୍ରତିଶ୍ରୁତି ଦେଲେ ।

 

ମୁଁ ନିଶ୍ଚିନ୍ତ ନିଶ୍ୱାସ ପକାଇଲି ।

 

ଶେଷରେ ସାବିତ୍ରୀର ହିଁ ଜୟ ହେଲା । ସେଇ ନରକପୁରରୁ ତାକୁ ଉଦ୍ଧାର କରିବାକୁ ଯାଇ ପ୍ରତିପତ୍ତିଶାଳୀ ଶେଠଜୀଙ୍କର କିଛି ଅର୍ଥ ବ୍ୟୟ ହେଲା, ମାନହାନି ବି ହେଲା । ସାବିତ୍ରୀର ଅଗ୍ନିପରୀକ୍ଷାରେ ନବଜନ୍ମ ହେଲା ସୁରେନ୍ଦ୍ର ବରାଳର । ଏଇ ବୋଧହୁଏ ସତୀ ସାବିତ୍ରୀର ପ୍ରକୃତ ସତ୍ୟବାନ୍‌ ।

 

କିନ୍ତୁ ନଟ ମହାନ୍ତି ? ତାହାର ତ ସନ୍ଧାନ ମିଳିଲା ନାହିଁ !

 

ଆପଣ ତାକୁ କେବେ କେଉଁଠି ଦେଖିଛନ୍ତି କି ? ଡେଙ୍ଗା ହୋଇ ସାବନ ବର୍ଣ୍ଣର ପାତଳା ଲୋକଟି, ନାକ ତଳେ ପ୍ରଜାପତିଆ ନିଶ । ଡାହାଣ ଆଖିଟା ଟିକିଏ ଟେରା । ପୋଲିସରେ ଖବର ଦିଆ ଯାଇଛି, ଖୋଜା ଲାଗିଛି ।

 

ଏ ଯୁଗରେ ଯମର ବି ଯାଞ୍ଚ ଅଛି, ଯିବ କୁଆଡ଼େ ସେ !

Image

 

ଫକ୍‌କଡ଼

 

ସେ ଦେଖିଛନ୍ତି, ଆପଣ ଦେଖିଥିବେ, ମୁଁ ବି ଦେଖିଛି । ପୁରୀ ହାବଡ଼ା ରେଳପଥରେ ଯେଉଁମାନେ ଭ୍ରମଣ କରିଛନ୍ତି, ସେମାନେ ସମସ୍ତେ ଦେଖିଥିବେ ! ବନ୍ଧୁହୀନ, ନିର୍ବାକ୍‌ ନିଷ୍ପନ୍ଦ ହୋଇ ତୃତୀୟ ଶ୍ରେଣୀ ଡବାରେ ଅତି ବିରକ୍ତିକର ପରିବେଶ ଭିତରେ ବସି ରହିଥିଲା ବେଳେ ସେ ଆସେ ସାଙ୍ଗରେ ତାର ସେଇ ନଅ ଦଶ ବର୍ଷର ଝିଅଟି । ବାଳିକା ସୁଲଭ କୋମଳ କଣ୍ଠରେ ଝିଅଟି ଆରମ୍ଭ କରେ, ଲାରେ...ଲାପ୍‌ପା, ଲାରେ...ଲାପ୍‌ପା–ଆଉ ସେ ଟୋକାଟି ଦୁଇଖଣ୍ଡ କାଠ ବଜାଇ ବଜାଇ ଗୀତରେ ତାଳ ଦିଏ ।

 

ତା’ପରେ ଯାତ୍ରୀଙ୍କ ଭିତରୁ କେହି କେହି ଝିଅଟିର ରୂପରେ ମୁଗ୍‌ଧ ହୋଇ–ଆଉ କେହି ବା ହାଲ୍‌କା ସଙ୍ଗୀତ ମୂର୍ଚ୍ଛନାରେ ବିଭୋର ହୋଇ ପକେଟ ଅଣ୍ଡାଳନ୍ତି । ତୃତୀୟ ଶ୍ରେଣୀ ଡବାର ସେଇ ଅସ୍ୱସ୍ତିକର ପରିବେଶଟି କ୍ଷଣକ ପାଇଁ ଚଞ୍ଚଳ ହୋଇଉଠେ ।

 

ସେଦିନ ମୁଁ ମଧ୍ୟ ଦୁହିଁଙ୍କି ଭେଟିଥିଲି ।

 

ବର୍ଣ୍ଣ ଶ୍ୟାମଳ ହେଲେ କଣ ହେବ, ଝିଅଟିର ଗଢ଼ଣ ବେଶ୍‌ ସୁନ୍ଦର । ତା’ର ବେଶ ପରିପାଟୀ ମଧ୍ୟ ଆଧୁନିକ ରୁଚି-ସଙ୍ଗୀତ । କି ଏକ ଶସ୍ତା କେମିକାଲ୍‌ ତେଲରେ ଅତି ଯତନରେ ମଥା ସଜାଡ଼ିଛି । ଲମ୍ବ ବେଣୀର ଶୋଭା ବର୍ଦ୍ଧନ କରୁଛି କେତେ ପ୍ରକାର ଫୁଲ । ଛିଡ଼ା ପେଣ୍ଟଟି ଉପରେ ଲମ୍ବା ମଳିଆ ଫୁଲପକା ଫ୍ରକ୍‌ । ଛାତିରେ ଫ୍ରକ୍‌ ତଳୁ ସ୍ପଷ୍ଟ ବାରି ହେଉଛି–ତାର ଆସନ୍ନ ଯୌବନର ନିଶାଣ ।

 

ଆଉ ତାର ସାଥି ଟୋକାଟି ବେଶ୍‌ ଏକ ରୋମାଣ୍ଟିକ ହିରୋ ଭଳି । ତାରୁଣ୍ୟର ବଳିଷ୍ଠ ବପୁ । ମଥାରେ ଅସଜଡ଼ା ଲମ୍ବା ଲମ୍ବା ବାଳ । ଢିଲା ପାଇଜାମା ସାଙ୍ଗକୁ ସରୁ ଫିନ୍‌ଫିନ୍‌ ପଞ୍ଜାବି । ତହିଁରେ କଳା ନାଲା କେତେ କି ଦାଗ । ଛାତି ପକେଟରେ ପଡ଼ିଛି ଅଣିକିଆ ପ୍ଲାଷ୍ଟିକ୍‌ ପାନିଆ ଏବଂ ଖଣ୍ଡିଏ ଅଧାଖିଆ ମେ ପୋଲ ସିଗାରେଟ୍‌ ।

 

ଗୀତ ଗାଇ ଗାଇ ଝିଅଟି ଆସି ମୋ ଆଗରେ ହାତ ପାତିଲା ।

 

ମୁଁ କହିଲି–ମାଗି ଖାଉଛ କାହିଁକି ? ଚାଲ, ମୁଁ ତମକୁ କାମ ଦେବି । ଖଟିବ ଖାଇବ ।

 

ଝିଅଟି ବୋଧହୁଏ ମୋଠାରୁ ଏପରି କଥା ଶୁଣିବ ବୋଲି ଆଶା କରି ନ ଥିଲା । ମୋ କଥାର କିଛି ଗୋଟାଏ ଉତ୍ତର ଦେବାକୁ ସେ ଇତସ୍ତତଃ କରୁଥିଲା ବେଳେ ଟୋକାଟି ହଠାତ୍‌ ପାଖେଇ ଆସି କହିଲା–କାମ କିଛି ନ ପାଇଲାରୁ ଏଥିରେ ପଶିଛୁ ବାବୁ । ଏ ବେଉସା ମନ୍ଦ ନୁହେଁ । ବେଶ୍‌ ଦି’ପଇସା ରୋଜଗାର ହେଉଛି ।

 

ମୁଁ ଉପହାସ କଲି–ଭିକ ମାଗିବା ମନ୍ଦ ବେଉସା ନୁହେଁ ! ବାଃ.......ଏପରି ଚମତ୍କାର ବୁଦ୍ଧି ଶିଖିଲ କେଉଁଠୁ ?

 

ସହଯାତ୍ରୀ କେଇଜଣ ମୋ ସାଙ୍ଗରେ ହସିବାକୁ ଲାଗିଲେ । ମୁଁ ଟିକିଏ ଚଢ଼ାଗଳାରେ କହିଲି–କାମ କେଉଁଠି ଖୋଜିଥିଲ, ପାଇଲନି ? ମିଛ କହନା ! ଚାଲ ମୋ ସାଙ୍ଗରେ, ମୁଁ ତମ ଦି’ଜଣଙ୍କ ପାଇଁ କାମ ଯୋଗାଇ ଦେବି ।

 

ଝିଅଟି ମୋ କଥାରେ କୌଣସି ଗୁରୁତ୍ୱ ନ ଦେଲା ପରି କହିଲା–ହଁ, ଏମିତି କେତେ ବାବୁ କାମ ଯୋଗାଇ ଦେବେ ବୋଲି କହନ୍ତି । କିଏ ଦିଏ ? କାହାର ଗରଜ ପଡ଼ିଛି ?

 

ଟୋକାଟି ତା ସାଙ୍ଗରେ ଯୋଗଦେଇ କହିଲା–ଠିକ୍‌ କଥା ! ଦେବେ ଯଦି ବାବୁ, ଗରିବଙ୍କୁ ପଇସା ଦି’ପଇସା ଦିଅନ୍ତୁ ! ସେ ସବୁ କଥା କହନ୍ତୁନି ।

 

ମୁଁ ଟିକିଏ ଦବି ଗଲି । ବେକାର, ବାରବୁଲାଙ୍କୁ କାମ ଯୋଗାଇବାର ଗରଜ ମୋର ଅଛି, ମୋ ଜାତିର–ମୋ ସରକାରଙ୍କର ଅଛି । କିନ୍ତୁ ଏ ଗରଜ କଥା ବୁଝୁଛି କିଏ ? ମୁଁ ହୁଏତ ଏ ଦୁଇଜଣ ମାତ୍ର ବେକାର ଲୋକଙ୍କୁ କାମ ଯୋଗାଇ ପାରେ କିନ୍ତୁ ଦେଶର ଶହଶହ ବେକାରଙ୍କୁ ଯୋଗାଇ ପାରିବି କି ? ସମସ୍ୟାଟି ପ୍ରକୃତରେ ମୋର ସାଧ୍ୟାତୀତ । ଏ ଦୁହେଁ ଯେପରି ମୋତେ ମୋ ଜାତି–ମୋର ସରକାରଙ୍କୁ ଉପହାସ କରିଗଲେ । ମୁଁ ଝକ୍‌ମାରି ହୋଇ ଚୁପ୍‌ ରହିବା ଛଡ଼ା ଆଉ କିଛି ବାଟ ପାଇଲି ନାହିଁ ।

 

ଭଦ୍ରକ ଷ୍ଟେସନରେ ଗାଡ଼ିରୁ ଓହ୍ଲାଇ ଗଲାବେଳେ ଦେଖିଲି–ପ୍ଲାଟଫର୍ମରେ ରେଳବାଇ ପୋଲିସଙ୍କୁ ଘେରାଉ କରିଛି ଜନତାର ଏକ ବ୍ୟୁହ ! କୌତୂହଳ ହେଲା । ପାଖକୁ ଯାଇ ଖବର ନେଲି–ଗାଡ଼ିରୁ ଆଜି ଜଣେ ପକେଟମାର ଧରା ପଡ଼ିଛି । ଉଙ୍କି ମାରି ଦେଖିଲାବେଳକୁ–ସେହି ଟୋକାଟା । ମୁହଁରେ ତାର ଦୁଃଖ, ବିଷାଦ କିମ୍ବା ଲଜ୍ଜାର ଚିହ୍ନ ସୁଦ୍ଧା ନାହିଁ, ବରଂ ପୋଲିସ ଓ ଶାସକଙ୍କ ପ୍ରତି ଯେପରି ଏକ ବେଖାତିର ଭାବ । ଝିଅଟି ଜନତା ବ୍ୟୁହର ପଛଆଡ଼େ ଠିଆ ହୋଇ ଅପେକ୍ଷା କରୁଛି ତାର ସାଥିକି ।

 

ତଟସ୍ଥ ହେଲି । ଯେ ମାଗି ଖାଇଲାଣି ସେ କି କେବେ ଲାଗି ଖାଇବ ?

 

ପ୍ରାୟ ତିନି ଚାରିବର୍ଷ ପରେ–

 

ଭଦ୍ରକ ଷ୍ଟେସନରେ କାଳୀପୂଜାର ସପ୍ତାହ ବ୍ୟାପୀ ସମାରୋହ । ଦିନେ ସନ୍ଧ୍ୟାରେ କେତେଜଣ ବନ୍ଧୁଙ୍କ ସହ ଯାତ୍ରାରେ ବୁଲୁଛି, ହଠାତ୍‌ ଭେଟିଲି ସେହି ପକେଟମାରୁ ଟୋକାକୁ । ଚେହେରା ଓ ବେଶଭୂଷାରେ ତାର ବିଶେଷ କିଛି ପରିବର୍ତ୍ତନ ହୋଇ ନାହିଁ । କେବଳ ମୁଖମଣ୍ଡଳରେ କଠିନ ଜୀବନ ସଂଗ୍ରାମର ମୁଦ୍ରା ସ୍ପଷ୍ଟ । ସାଙ୍ଗରେ ନାହିଁ ତାର ସେଇ ବାଳିକା ବନ୍ଧୁଟି-

 

ମୁଁ ତାକୁ ଚିହ୍ନି ନ ଥାନ୍ତି । କିନ୍ତୁ ଜନଗହଳି ଦୋକାନ ପାଖରେ ଶିକାର ଲୋଭୀ ଛଞ୍ଚାଣ ପରି ସେ ଯେତେବେଳେ ଟାକି ରହିଥିଲା ଏବଂ ଦୋକାନୀର ଅନ୍ୟମନସ୍କ ଭାବର ସୁଯୋଗ ଦେଖି ଦୋକାନରୁ କାଚ ଗ୍ଲାସଟିଏ, ରବର ଖେଳଣାଟିଏ, ତାଆସ ମୁଠାଏ ଯାହା ପାଉଥିଲା ଉଠାଇ ନେଉଥିଲା, ସେତେବେଳେ ମୋର ଆଉ ଜାଣିବାକୁ କିଛି ବାକି ରହିଲା ନାହିଁ । ବନ୍ଧୁମାନଙ୍କୁ ମୁଁ ତା’ କଥା ସବୁ କହିଲି ଏବଂ ସମସ୍ତେ ମିଳି ଅତି ସାବଧାନତା ସହକାରେ ତାର ଗତିବିଧି ଲକ୍ଷ୍ୟ କଲୁଁ ।

 

ପକେଟ ପୂର୍ଣ୍ଣ ହୋଇଗଲା ପରେ ସେ ଯାତ୍ରା ଛାଡ଼ି ଚାଲିଲା ଅନ୍ଧାରିଆ ରେଲ ଲାଇନ କରକୁ । ପୋଡ଼ା କୋଇଲା ଗଦା ଉହାଡ଼ରେ ପାଲ ଟଣା ହୋଇ ଛୋଟିଆ ପଲାଟିଏ । ଭିତରେ ମହମବତୀର ମିଞ୍ଜିମିଞ୍ଜି ଆଲୁଅ । ପଲା ଦୁଆର ମୁହଁରେ ବସି ରହିଛି ଜଣେ ସଜ୍ଜିତାବେଶା ତରୁଣୀ-। ନୟନର ଚପଳ ଚାହାଣିରେ ସାଦର ନିମନ୍ତ୍ରଣର ଇଙ୍ଗିତ ଏବଂ ଛାତିର ଉଦ୍ଧତ ଠାଣିରେ ପ୍ରେମ ନିବେଦନର ଭଙ୍ଗୀ । ଅଳ୍ପ ଦୂରରେ କେଇଜଣ ବଜାରୀ ଟୋକା ଲୋଲୁପ ଦୃଷ୍ଟିରେ ସେଇଆଡ଼କୁ ଚାହିଁ ତୁଣ୍ଡରେ ହୁଇସିଲ ମାରୁଛନ୍ତି ।

 

ଆମେ ବଡ଼ ବ୍ୟଗ୍ର ଓ କୌତୂହଳୀ ହୋଇ ଘଟଣାଟା ନିରୀକ୍ଷଣ କରିବାକୁ ଲାଗିଲୁଁ । ପକେଟମାରୁ ଯୁବକଟି ସେଇ ବଜାରୀ ଟୋକାଙ୍କ ପାଖକୁ ଗଲା ଏବଂ ସେମାନଙ୍କ ସହିତ କଣ କଥାବାର୍ତ୍ତା କରି ସାଙ୍ଗରେ ସେମାନଙ୍କୁ ପଲାଆଡ଼କୁ ଘେନିଗଲା । ମୁଁ ବୁଝି ପାରିଲି–ସେଦିନର ସେଇ ନିରୀହା ବାଳିକାଟି ଆଜି ବାରାଙ୍ଗନା । ତାର ସଦ୍ୟ ପ୍ରସ୍ଫୁଟିତ ରୂପଶ୍ରୀ ପଣ୍ୟ ପରି ତିଳତିଳ ବିକ୍ରି ହେଉଛି ବଜାରରେ । ଆଉ ସେ ଫକ୍‌କଡ଼ ଟୋକା ଆଜି ଗୁଣ୍ଡା, ଡକାୟତ, ରୂପ ବିକ୍ରେତା, ନାରୀ ବ୍ୟବସାୟୀ ।

 

ଏ ବିଷୟରେ ଅଗତ୍ୟା କଣ କରିବାକୁ ହେବ–ବନ୍ଧୁମାନଙ୍କ ସହ ବିଚାର କଲି । ପୋଲିସରେ ଖବର ଦେବା କଥା ଶେଷରେ ସ୍ଥିର ହେଲା ।

 

ଦୁଇ ତିନିଜଣ କନେଷ୍ଟବଲ ପଲା ଘେରାଉ କରିବାକୁ ଗଲେ ।

 

ଆମର କର୍ତ୍ତବ୍ୟ ଶେଷ ହୋଇଛି ବୋଲି ମନେ କରି ଆମେ ସେଦିନ ଘରକୁ ବାହୁଡ଼ି ଅଇଲୁଁ । କିନ୍ତୁ ଅତି ଆଶ୍ଚର୍ଯ୍ୟର କଥା, ତା’ ପରଦିନ ସନ୍ଧ୍ୟାରେ ଯାଇ ଦେଖିଲୁଁ–ସେ ପଲା ମୁହଁରେ ପୁଣି ସେହି ପୁରୁଣା ଦୃଶ୍ୟ ଅଭିନୀତ ହେଉଛି । ମୋ ଜାତି, ମୋ ଶାସକ, ସରକାର ଖାଲି ଜଳଜଳ କରି ଚାହିଁ ଦେଖୁଛି–ଏହାର କୌଣସି ପ୍ରତିକାର କରି ପାରୁନାହିଁ !

Image

 

ପ୍ରତିକ୍ରିୟା

(୧)

 

ମନୀଷା ଓ ମାନସ ।

ସେମାନଙ୍କର ମଧୁର ବୈବାହିକ ମିଳନ ମହୋତ୍ସବ ସର୍ବ ଶୁଭରେ ସମ୍ପନ୍ନ ହୋଇଗଲା ।

ମଙ୍ଗନ ଅଧିବାସଠାରୁ ବିବାହ ବାସି ପର୍ଯ୍ୟନ୍ତ ଏ ମହୋତ୍ସବର ଯାବତୀୟ କାର୍ଯ୍ୟ ତତ୍ତ୍ୱାବଧାନ କରୁଥିଲେ ଶ୍ରୀମତୀ ମାଇତି–ମନୀଷାର ଭାଉଜ ବା ନୂଆବୋଉ ।

ମେଦିନୀପୁର ସହରସ୍ଥ ବିଖ୍ୟାତ ମାଇତି ବଂଶର(ପୂର୍ବେ ‘ମହାନ୍ତି’ ଥିଲେ ବୋଲି ଶୁଣାଯାଏ) କୁଳବଧୂ ଶ୍ରୀମତୀ ମାଇତି ଦୁଇଟି ସନ୍ତାନର ଜନନୀ ହୋଇଥିଲେ ମଧ୍ୟ, ଦେହ ଓ ମନରେ ଏବେ ସୁଦ୍ଧା ଷୋଡ଼ଶୀ ତରୁଣୀ । ନାତିଦୀର୍ଘ ଚମ୍ପକବର୍ଣ୍ଣ ଶରୀର ବିଶିଷ୍ଟ ଏଇ ସୁଶ୍ରୀ ସୁରୁଚିପୂର୍ଣ୍ଣ ପ୍ରତିମାଟି ଜାୟା ହିସାବରେ ଯେପରି ପ୍ରେମମୟୀ, ଜନନୀ ଭାବରେ ସେହିପରି ସ୍ନେହପୂର୍ଣ୍ଣା । ପ୍ରୌଢ଼ ଆଇନ୍‌ଜୀବୀ, ଶ୍ରୀଯୁକ୍ତ ମାଇତି ଏପରି ଗୃହିଣୀଙ୍କର କର୍ତ୍ତୃତ୍ୱାଧୀନରେ ଆବଦ୍ଧ ରହିବା କିଛି ବିଚିତ୍ର ନୁହେଁ । ତେଣୁ ଏ ବିବାହ ମହୋତ୍ସବରେ ମାନସର ମନେ ହୋଇଥିଲା–ଯେପରି ଶ୍ରୀମତୀ ମାଇତି ହେଉଛନ୍ତି କନ୍ୟା ତରଫର ପ୍ରକୃତ କର୍ତ୍ତା; ଶ୍ରୀଯୁକ୍ତ ମାଇତି ରହିଛନ୍ତି ଯାଇ କେଉଁ ଯବନିକା ପଛପଟେ ।

ଶ୍ରୀଯୁକ୍ତ ମାଇତି ଭାବିଥିଲେ–ନିଜର ଏକମାତ୍ର ଆଦରଣୀୟା ଭଉଣୀର ବିବାହ ବଙ୍ଗୀୟ ପ୍ରଥା ଅନୁଯାୟୀ ସମ୍ପନ୍ନ କରିବେ । କିନ୍ତୁ ଏ ପ୍ରସ୍ତାବରେ ଶ୍ରୀମତୀ ମାଇତି ଭୟଙ୍କର ଆପତ୍ତି ଉଠାଇଲେ–‘‘ନା, ତା’ କେମିତି ହବ ! ବଙ୍ଗ ଦେଶରେ ରହି ତମେ ଯେତେ ବଙ୍ଗାଳୀ ହେଲେ ସୁଦ୍ଧା ଏକ ଖାନଦାନ ବୁନିୟାଦ୍‌ ଓଡ଼ିଆ ପରିବାରରେ ସମ୍ବନ୍ଧ ପାତୁଛ । ତା’ ଛଡ଼ା ପଲ୍ଲୀ-ଭାରତୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ମାନସ ରଞ୍ଜନ ପଟ୍ଟନାୟକ ହେବେ ମନିର ବର । ସେ ଯେପରି ଓଡ଼ିଆ ସଂସ୍କୃତିପ୍ରେମୀ ସାହିତ୍ୟିକ ବୋଲି ଶୁଣା ଯାଉଛି, ବଙ୍ଗୀୟମତେ ବିବାହ ହେଲେ ତାଙ୍କର ଆପତ୍ତି ନିଶ୍ଚୟ ଉଠିବ ।’’

ଶ୍ରୀମତୀଙ୍କ ଯୁକ୍ତିରେ ଶ୍ରୀଯୁକ୍ତ ମାଇତି ହାର୍‌ ମାନିଲେ ।

ବରବାହୁଡ଼ା ଦିନ ଉପରଓଳି ମନିକୁ ଦେବୀ ପ୍ରତିମାଟି ଭଳି ମନୋହର ବେଶଭୂଷାରେ ସଜାଇ ଶ୍ରୀମତୀ ମାଇତି ମାନସକୁ ଏକୁଟିଆ ଭିତର ଘରକୁ ଡାକିନେଲେ । ତା’ ପରେ ମନିକୁ ମାନସ ଉପରକୁ ଠେଲି ଦେଉଁ ଦେଉଁ ନିଜର ବହଳ ଓଠରେ ସ୍ୱଭାବ ସୁନ୍ଦର ହସ ରେଖାଟିଏ ଟାଣି କହିଲେ–‘‘ନିଅନ୍ତୁ ଆପଣଙ୍କର ଅର୍ଦ୍ଧାଙ୍ଗିନୀ, ପ୍ରିୟତମା ପତ୍ନୀ, your most obedient servant ! ନାକରେ ଦଉଡ଼ି ଲଗେଇ ଏଣିକି ଯୁଆଡ଼େ ଇଚ୍ଛା ସେଆଡ଼େ ଟାଣି ପାରନ୍ତି !’’

‘‘ହେତ୍‌ ନୂଆବୋଉ, ତମେ ଭାରି ଦୁଷ୍ଟ !’’–ମାନସ ଦେହରେ ଧକ୍‌କା ଖାଇ ମନୀଷା ସେତେବେଳକୁ ଲଜ୍ଜା ଓ ପୁଲକରେ ଗୋଟିପଣେ ନାଲି ପଡ଼ିଯାଇଥିଲା ।

ଶ୍ରୀମତୀ ମାଇତି ହସରେ ଫାଟି ପଡ଼ୁଁ ପଡ଼ୁଁ କହିଲେ–‘‘ଦେଖନ୍ତୁ ମାନସ ବାବୁ, ଆପଣଙ୍କ ହାଓ୍ୱା ବାଜିଗଲା ସଙ୍ଗେ ସଙ୍ଗେ ମନିର କେମିତି ମୁହଁ ଖୋଲି ଗଲାଣି । ଆପଣ ତାକୁ ସମ୍ଭାଳି ପାରିବେ ଟି ?’’

‘‘ଆପଣ ଯଦି ଏତେ ଦିନ ସମ୍ଭାଳି ରଖି ପାରିଲେ, ମୁଁ ନ ପାରିବି କାହିଁକି ?’’ –ସମ୍ଭ୍ରମ ସହକାରେ ମୃଦୁ ହସ ହସି ମାନସ ଉତ୍ତର ଦେଲା ।

ତା’ ପରେ ଶ୍ରୀମତୀ ମାଇତି ହଠାତ୍‌ କାହିଁକି ଗମ୍ଭୀର ହୋଇ ଉଠିଲେ । କହିଲେ–‘‘କିନ୍ତୁ ମନି ଆମର ସେପରି ପିଲା ନୁହେଁ ମାନସ ବାବୁ । ବାର ତେର ବର୍ଷ ବେଳୁ ମୁଁ ତାକୁ ନିଜ ହାତରେ ଗଢ଼ି ଆଣିଛି । ଯେମିତି ରୂପର, ସେମିତି ଗୁଣର ! ମୁଁ ଜାଣେ–ସୁନା ମୁଣ୍ଡାଟାଏ ସେ ! ସହରର ଆଉ ଆଉ ଅତ୍ୟାଧୁନିକା ସ୍କୁଲକଲେଜ ଝିଅଙ୍କ ଭଳି ସେ ଭେରସା ନୁହେଁ । ତାକୁ ପାଇ ଆପଣ ଜୀବନରେ ନିଶ୍ଚୟ ସୁଖୀ ହେବେ ।’’ କ୍ରମେ ତାଙ୍କ କଣ୍ଠସ୍ୱର କାରୁଣ୍ୟଭିଜା ହୋଇ ଉଠିଲା ସେ ଆବେଗ-କମ୍ପିତ ଭଙ୍ଗୀରେ କହିବାକୁ ଲାଗିଲେ–‘‘ମନି ଥିଲା ମୋର ଡାହାଣ ହାତ ମାନସ ବାବୁ; ଏତେ ବଡ଼ ଘରଟାର ଟିକ୍‌ନିଖ୍‌ ସବୁ କାମରେ ମୋତେ ସାହାଯ୍ୟ କରୁଥିଲା । ଆଜି ସେ ଚାଲିଗଲା, ମୋର ଡାହାଣ ହାତଟି ସତେ କି ଭାଙ୍ଗି ପଡ଼ିଲା ! ମୁଁ-ମୁଁ ଆଉ......’’

ତାଙ୍କର ବଡ଼ ବଡ଼ ଭସାଣିଆ ଆଖି ଯୋଡ଼ିକ ଛଳଛଳ ହୋଇ ଉଠିଲା । ସେ ଆଉ ବେଶି କହି ପାରିଲେ ନାହିଁ । ମୁହଁ ଉପରେ ପଣତଟା ଜାକି ଧରି ହଠାତ୍‌ ଘରୁ ବାହାରି ଚାଲିଗଲେ ।

 

(୨)

 

ଗୋପାଳପୁର ଶାନ୍ତ କାନ୍ତ ବେଳାଭୂମି.......

 

ସନ୍ଧ୍ୟା ଉତ୍ତୀର୍ଣ୍ଣପ୍ରାୟ । ପୂର୍ବ ଆକାଶରେ ଫାଲ୍‌ଗୁନ ଦଶମୀର ଚନ୍ଦ୍ର ଉଠି ଆସୁଛି । ଦିଗନ୍ତବିସ୍ତାରୀ ଜଳରାଶିର ବୁକୁ ଛୁଇଁ ଛୁଇଁ କାହିଁ କେତେ ଦୂରରୁ ବହି ଆସୁଛି–ବସନ୍ତର ମନ୍ଦ ମଳୟ-। ଅଦୂରରେ ଶୁଣାଯାଉଛି–ସମୁଦ୍ରବାହୀ କେଉଟମାନଙ୍କର ଅସ୍ପଷ୍ଟ କଥାବାର୍ତ୍ତା । ବେଳାଭୂମିର ଗୋଟିଏ ପ୍ରାନ୍ତରେ ଶୀତଳ ବାଲୁକାଶଯ୍ୟା ଉପରେ ଲଗାଲଗି ହୋଇ ବସିଛନ୍ତି ଦୁଇଟି ପ୍ରାଣୀ; ଦୁହେଁ ଦୁହିଁଙ୍କ ଭିତରେ ବିମୁଗ୍‌ଧ, ଆତ୍ମହରା । ଜଣେ ଯେପରି ପ୍ରାଣ ଆଉ ଅନ୍ୟ ଜଣକ ତାହାର ଉଚ୍ଛଳ ଉଦ୍‌ବେଳ ସ୍ପନ୍ଦନ...

 

ସ୍ପନ୍ଦନ ଆଜି ମୁକ୍ତ-ଜୁଆର ସମୟରେ ସମୁଦ୍ରର ବକ୍ଷ ପରି ସ୍ଫୀତୋନ୍ମୁଖ । ପ୍ରାଣର ପରିଧି ଲଙ୍ଘନ କରି ସେ ଯେପରି ବହିଯିବାକୁ ଚାହେଁ–ଖେଳିଯିବାକୁ ଚାହେଁ ଚତୁର୍ଦ୍ଦିଗରେ ।

 

–‘‘ଏତେ ଦିନ ହେଲା ମୁଁ ଥିଲି ବନ୍ଦିନୀ । ନୂଆବୋଉଙ୍କ କଡ଼ା ଶାସନ ଭିତରେ ଯେପରି ଅଣନିଶ୍ୱାସୀ ଭାବରେ ଛଟପଟ ହୋଇ ମରୁଥିଲି ! ବୁଲାଚଲା; କଥାବାର୍ତ୍ତା, ପଢ଼ାପଢ଼ି–କୌଣସିଥିରେ ମୋର ସ୍ୱାଧୀନତା ନ ଥିଲା । କିନ୍ତୁ ଆଜି ମୁଁ ମୁକ୍ତ... ଉପରର ଏଇ ଆକାଶପରି, ସମୁଦ୍ରର ଏଇ ଅଗଣିତ ଢେଉ ପରି ମୁକ୍ତ ! ଆଜି ମୁଁ ଚକୋରୀ ଭଳି ମୋର ପ୍ରିୟ ସହିତ ଆନନ୍ଦ କଳରବ କରି ଉଡ଼ି ବୁଲିବି ଏଇ ଜୋଛନା-ଜୁଆର ଭିତରେ... ।’’ କହୁଁ କହୁଁ ମନୀଷା ନିଜର ଋଜୁ ଅଙ୍ଗଲତା ଲତେଇ ଦେଲା–ମାନସର ପ୍ରଶସ୍ତ ବକ୍ଷ ଉପରେ । ମାନସ ନିଜ ବକ୍ଷରେ ସ୍ପଷ୍ଟ ଅନୁଭବ କଲା–ମନୀଷା ପ୍ରାଣର ପାଗଳ ସ୍ପନ୍ଦନ । ନିବିଡ଼ ବାହୁବନ୍ଧନ ଭିତରେ ସେ ମନୀଷାର ସ୍ପନ୍ଦନାୟିତ ପ୍ରାଣକୁ ଶୃଙ୍ଖଳିତ କଲା ଏବଂ ଲୋଲୁପ ଚିତ୍ତରେ ତାହାର ସଜ୍ଜିତ ସୁବାସିତ କବରୀ ଚୁମ୍ବନ କରିବାକୁ ଲାଗିଲା ବାରମ୍ବାର ।

 

ବହୁ କ୍ଷଣପରେ ସେମାନେ ହୋଟେଲକୁ ବାହୁଡ଼ିଲେ । ରାତ୍ରି ଭୋଜନପରେ ମନୀଷା ନିଜ ନୂଆବୋଉ ପାଖକୁ ଲେଖି ବସିଲା ଏକ ଦୀର୍ଘ ପତ୍ର–‘x x ଆମର ଏଠାକୁ ଆସିବାର ନ ଥିଲା-। ମୁଁ ଦିନେ ହଠାତ୍‍ ଅଧ୍ୟାପକଙ୍କ ଆଗରେ ପ୍ରସ୍ତାବ କଲି–ଚାଲ କେଉଁଠି ଗୋଟାଏ ଭଲ ଜାଗାରେ ଆମର ‘ମଧୁଚନ୍ଦ୍ରିକା’ ଯାପନ କରିବା ! ସେ ଏଇ ଗୋପାଳପୁରକୁ ହିଁ ବାଛିଲେ । ଚମତ୍କାର ଜାଗା ଏ ନୂଆବୋଉ ! x x ଆମେ ଏଇ ସାଙ୍ଗେ ସାଙ୍ଗେ ସମୁଦ୍ର କୂଳରୁ ଫେରିଲୁଁ । ରାତି ନ’ଟା ବାଜିଲାଣି । ଅଧ୍ୟାପକ ଶୋଇ ଶୋଇ ଖବରକାଗଜ ପଢ଼ୁଛନ୍ତି ଓ କହୁଛନ୍ତି–‘ନୂଆବୋଉଙ୍କୁ ମୋର ଗୋଟାଏ ପତଳା ନମସ୍କାର ଜଣାଅ !’ ନମସ୍କାର ପତଳା ହେଲା କାହିଁକି ଜାଣ ନୂଆବୋଉ-? ତମେ ତାଙ୍କ ପାଖକୁ ଚିଠି ଦେଇ ନାହଁ ଯେ ସେଇଥିପାଇଁ ସେ ମନ ଊଣା କରିଛନ୍ତି-। ଚିଠି ଦେଲେ ମୋଟା ନମସ୍କାର ପାଇବ । x x କାଲି ବ୍ରହ୍ମପୁର ସହରକୁ ସିନେମା ଦେଖି ଯାଇଥିଲୁ-। ଏ:ଭି:ଏମ୍‌:ର ‘ଲଡ଼୍‌କୀ’ ଚିତ୍ର, ଅବସର ବିନୋଦନ ପାଇଁ ଉପଯୁକ୍ତ ଏକା-। ବ୍ରହ୍ମପୁର ଏଠାକୁ ମୋଟେ ଛ’ ସାତ ମାଇଲ ବାଟ । ସାରା ସହର ବୁଲି ଦେଖିଲୁ । x x ଆସନ୍ତା କାଲି ପୁଣି ଜେମିନିର ‘ବହୁଦିନ ହୁୟେ’ ଚିତ୍ର ଦେଖିବାକୁ ଯିବୁଁ ବୋଲି ଠିକ୍‌ କରିଛୁ । x x ଅଧ୍ୟାପକଙ୍କ ଛୁଟି ସରି ଆସିଲାଣି ଆମେ ଆଉ ତିନି ଚାରିଦିନ ଏଠାରେ ରହିବୁଁ । ଫେରିବା ବାଟରେ ଭୁବନେଶ୍ୱରରେ ଦୁଇ ଦିନ ଅଟକି ଯିବୁଁ । ଭୁବନେଶ୍ୱର ମନ୍ଦିର, ଖଣ୍ଡଗିରି, ଧଉଳିଗିରି, ନୂଆ ରାଜଧାନୀ ପ୍ରଭୃତି ଦେଖିଯିବା ମୋର ଇଚ୍ଛା । x x ।’’

 

ଲେଖିସାରି ମାନସକୁ ଚିଠିଟି ଆମୂଳଚୂଳ ପଢ଼ି ଶୁଣାଇଲା ମନୀଷା । ତା’ପରେ ମାନସର ଅଡ଼ୁଆ ମଥାବାଳ କେଇଟା ସାଙ୍ଗରେ ଖେଳୁଁ ଖେଳୁଁ କଣ ଭାବି କହିଉଠିଲା–‘‘ତମେ ଜାଣ, ମୁଁ ଏଡ଼ୁଟିଏ ହେଲେ ସୁଦ୍ଧା ଆମର ସେଇ ମେଦିନୀପୁର ସହରଟି ଛଡ଼ା ଅନ୍ୟ କାହିଁ ଦେଶ ବିଦେଶ ବୁଲି ନ ଥିଲି । କେବଳ ଥରେ ଭାଇଙ୍କ ବାହାଘର ବେଳକୁ ଯାଇଥିଲି କଲିକତା । ତା’ ପରେ ସେଇ ପୁରୁଣା ମେଦିନୀପୁର ସହରରେ ଦୀର୍ଘ ସାତ ବରଷ । ମୋର ବୁଲାଚଲାକୁ ନୂଆବୋଉ ଆଦୌ ପସନ୍ଦ କରୁ ନ ଥିଲେ ।’’

 

ମନୀଷାର ଚଟୁଳ ଚିବୁକଟି ଟିପି ଦେଇ ମାନସ ହସି ହସି କହିଲା–‘‘ଓହୋ, ସେଇଥିପାଇଁ ଏକ୍ଷଣି ତମ ଦେହରେ ପ୍ରଜାପତିର ପର ଗଜୁରି ଉଠିଛି ?’’

 

ମନୀଷା ମାନସ ଗାଲରେ ଥିଇରିକିନା ଚାପୁଡ଼ାଏ ମାରି କହିଲା–‘‘ହଁ...କଥା କହିବାର ଭାରି ବାଗ ଜାଣ ।’’

 

ତହିଁ ଆରଦିନ ସେମାନେ ସିନେମା ଦେଖି ଫେରୁଥାନ୍ତି, ବାଟରେ ମାନସ କହିଲା–‘‘ଜେମିନି ଚିତ୍ରଗୁଡ଼ିକ ମୋତେ ଭାରି ଭଲଲାଗେ ମନି । ଏହା ଆଗରୁ ଚନ୍ଦ୍ରଲେଖା, ସଂସାର ପ୍ରଭୃତି ଦେଖିଛି । ଚିତ୍ରଗୁଡ଼ିକ ସବୁ ଦିଗରୁ ସୁନ୍ଦର । ବିଶେଷତଃ ସଂସାର ଚିତ୍ରଟି ତମେ ଦେଖିଥିବ...’’

 

ମନୀଷା କହିଲା–‘‘ସଂସାର ଫଂସାର ମୁଁ କିଛି ଦେଖି ନାଇଁ । ମୋର ହେତୁ ହେଲାଦିନୁ ମୁଁ ବୋଧହୁଏ ସର୍ବମୋଟ ଚାରି ଛ’ଟା ଚିତ୍ର ଦେଖିଥିବି । ନୂଆବୋଉ ମୋତେ ବେଶି ସିନେମା ବି ଦେଖିବାକୁ ଛାଡ଼ୁ ନଥିଲେ ।’’

 

–‘‘ନୂଆବୋଉ ନିଜେ ବି କଣ ସିନେମା ଦେଖନ୍ତି ନାଇଁ ?’’

 

–‘‘ହଁ, ଭାଇ ଓ ସେ ଦୁହେଁ ମିଳି ବହୁତ ଦେଖନ୍ତି । ମୋତେ ବେଳେବେଳେ ସାଙ୍ଗରେ ନିଅନ୍ତି । କିନ୍ତୁ ମୋର ବେଶି ସିନେମା ଦେଖାଟା ନୂଆବୋଉଙ୍କ ଦେହରେ ଯାଉ ନ ଥିଲା । ଥରେ ତାଙ୍କ ଅଜଣାରେ ମୁଁ ମୋର କେଇଜଣ ବନ୍ଧୁ କଲେଜ ଝିଅଙ୍କ ସାଙ୍ଗରେ ସିନେମା ଦେଖି ଚାଲି ଯାଇଥିଲି । ଫେରିଲା ପରେ ନୂଆବୋଉଙ୍କୁ ଆଉ ସମ୍ଭାଳେ କିଏ ? ଭାଇ ବି ତାଙ୍କରି କଥାରେ ପଡ଼ି ମୋତେ ଗାଳି ଦେଲେ ।’’

 

–‘‘ଭଲ କରିଛନ୍ତି । ସେ ସବୁ ତମରି ମଙ୍ଗଳ ପାଇଁ ମନି । ବଢ଼ିଲା ଝିଅଙ୍କୁ ସେମିତି ଆଖି-ଦେଖା ନ କଲେ...’’

 

ମନୀଷା ଖପ୍‌ପା ହୋଇ କହିଉଠିଲା–‘ରଖ ତମର ଆଖିଦେଖା ! ଯେଉଁ ବଢ଼ିଲା ଝିଅମାନେ ଦିନରାତି ଘରକୋଣରେ ପଶି ରହିଥାନ୍ତି ସେମାନେ ଏକବାରେ ଗୋଟିପଣେ ତୁଳସୀ । ଆଉ ଯେଉଁମାନେ ବୁଲାବୁଲି କରନ୍ତି, ସିନେମା ଦେଖନ୍ତି....’’ ।

 

ମାନସ ବାଧା ଦେଇ କହିଲା–‘‘ଆହା, ମୁଁ ସେ କଥା କହୁନାଇଁ ମନି ! ମୋ ମତରେ ଅଭିଭାବକମାନଙ୍କର ସେଇଟା କର୍ତ୍ତବ୍ୟ ।’’

 

–‘‘ହଉ ଦେଖିବି ଯେ, ତମ ଝିଅକୁ ତମେ କେତେ ଆଖିଦେଖା କରି ରଖିବ !’’ ଆହତ ଫଣିନୀ ପରି ମନୀଷା ଫଁ ଫଁ ନିଶ୍ୱାସ ଛାଡ଼ୁଥିଲା । ପରିସ୍ଥିତିଟାକୁ ସହଜ କରି ଏ ବାଦାନୁବାଦର ସମାପିକା ଲାଗି ମାନସ ହସି ହସି କହିଲା–‘‘ଆରେ, ଅଢ଼େଇ ଦିନର ମାଇପକୁ ପୁଅ ନାଁ ଗୋପାଳିଆ !

 

ଗୋପାଳପୁରରୁ ଭୁବନେଶ୍ୱର ହୋଇ ଅଧ୍ୟାପକ ଦମ୍ପତ୍ତି ଶେଷରେ ପଲ୍ଲୀ-ଭାରତୀକୁ ବାହୁଡ଼ି ଆସିଲେ । ଏହାହିଁ ମାନସର କର୍ମକ୍ଷେତ୍ର । ମନୀଷା ଏଇଠି ସଜାଡ଼ି ବସିଲା–ଆପଣା ସୁଖର ସଂସାର । ସେମାନଙ୍କ ଦାମ୍ପତ୍ୟ ଜୀବନର କର୍ମମୁଖର ଦିନଗୁଡ଼ିକ ଗଡ଼ିଚାଲିଲା ଛନ୍ଦମଧୁର ଗତିରେ-

 

ସେଦିନ ମାନସ କ୍ରିକେଟ ଖେଳି ଆସି ମନୀଷାକୁ କ’ଣଟାଏ ଲେଖୁଥିବାର ଦେଖି ପାଟିକଲା–‘‘ସନ୍ଧ୍ୟା ବେଳଟାରେ ବସି ବସି କଣ ଲେଖା ଚାଲିଛି ? ଆସ; ଆସ, ରେଡ଼ିଓ ଖୋଲ ! ସୁଲକ୍ଷଣାଙ୍କର ଓଡ଼ିଶୀ ଓ ଚମ୍ପୂ ଅଛି ।’’

 

–‘‘ମୋ ସୁନାଟା ପରା ! ଟିକିଏ...ନୂଆବୋଉଙ୍କୁ ଚିଠିଟା ଦିଏଁ । ଆମ ଭୁବନେଶ୍ୱର ରହଣି, ଆଉ ଟିକିଏ ଏଠିକା କଥା । ତମ କଥା କଣ ଲେଖିବି କୁହ ।’’

 

–‘‘ମୋ କଥା କିଛି ଲେଖିବା ତୁମର ଦର୍କାର ନାଇଁ । ମୁଁ ନୂଆବୋଉଙ୍କୁ ଅଲଗା ଚିଠି ଦେବି । କଣ ଲେଖିବି ଜାଣ ? ଲେଖିବି–ନୂଆବୋଉ, ତମ ଗେହ୍ଲେଇ ନଣନ୍ଦର ଗୁଣ କେତେ ବାହୁନିବି ? ସୁନାମୁଣ୍ଡା ବୋଲି କହି ମୋତେ ତୁଚ୍ଛା ପିତଳଟାଏ ଭଣ୍ଡି ଦେଲ । ହାୟ-ହାୟ-ଭୋଗ ବୋଲି ଖଞ୍ଜିଦେଲ କଡ଼ିକିଆ ମୁଆଁ, ଧୂପ ବୋଲି ମାଡ଼ିଦେଲ ନିଆଁ ଖୁଣ୍ଟା ଧୂଆଁ ।’’

 

‘‘ହଉ, ଢଙ୍ଗ ସେତିକି ଥାଉ ! ଯାଅ ଲୁଗା ବଦଳାଅ ।’ –ଲଫାପାରେ ଚିଠି ଭର୍ତ୍ତି କରୁଁ କରୁଁ ମନୀଷା ଉଠିଲା, ‘‘ଆରେ ବନା, ଦି’କପ୍‌ ଚା ବସା ।–’’ ଚାକର ପିଲାଟିକି ଡାକଦେଇ ରେଡ଼ିଓ ଖୋଲିଲା ।

 

ମାନସ ଲୁଗା ବଦଳାଇ ଆସି ମନୀଷା ପାଖରେ ଖଣ୍ଡେ ଆରାମ ଚେୟାର ଉପରେ ଅଙ୍ଗ ପ୍ରସାରଣ କଲା । ମନୀଷା କଟକ ଷ୍ଟେସନଟା ଧରାଉଁ ଧରାଉଁ ଆରମ୍ଭ କଲା–‘‘ନୂଆବୋଉଙ୍କ ରେଡ଼ିଓଠାରୁ ଆମର ଏ ଫିଲିପ୍‌ସ ସୁପାର୍‌ ଏମ୍‌ ସେଟ୍‌ଟି ଢେର୍‌ ଭଲ । ଘରେ ତାଙ୍କ ରେଡ଼ିଓ ନୂଆବୋଉ ମୋତେ କେବେ ବଜେଇବାକୁ ଦଉ ନ ଥିଲେ । ଦିନେ ବସି ବଜାଉଥିଲି ଯେ ଆସି କହିଲେ–‘‘ଉଠ୍‌ ଉଠ୍‌, ତୁ’ ପାରିବୁ ନାଇଁ ! ମୋଡ଼ାମୋଡ଼ି କରି ଅସଜ କରି ଦବୁ !’’ ସେ ଯଉଁ ଦଦରା ରେଡ଼ିଓଟା ତ, ସେଥିରେ ପୁଣି...’’

 

ମନକୁ ମନ ହସିବାକୁ ଲାଗିଲା ମନୀଷା । ମାନସ କହିଲା–‘‘ଆପଣା ଘଡ଼ି, ଫାଉଣ୍ଟେନ, ରେଡ଼ିଓ, ସାଇକେଲ୍‌ ଆଉ ସ୍ତ୍ରୀ–ଏସବୁ ଜିନିଷ ପର ହାତରେ ପଡ଼ିଲେ ଖରାପ ହେବଇ ହେବ । ନୂଆବୋଉ ଠିକ୍‍ ଜାଣନ୍ତି ।’’

 

–‘‘ତମେ ରୀତିମତ ନୂଆବୋଉଙ୍କ ପ୍ରେମରେ ପଡ଼ିଗଲଣି ଦେଖୁଛି । ସବୁବେଳେ ତାଙ୍କର ପ୍ରଶଂସା, ଆଉ ମୋରି ନିନ୍ଦା ।’’ ଅତି ଅସହଣି ହୋଇ ପଡ଼ିଲା ମନୀଷା । ମାନସ ହସି ହସି ଘର ଫଟାଇ ଦେଲା–ହାଃ...ହାଃ...ହାଃ...

 

ରେଡ଼ିଓରୁ ଖେଳିଗଲା ଭଞ୍ଜ ସଙ୍ଗୀତର ଅପୂର୍ବ ମାଧୁରୀ...

 

ବନା ଆଣି ଚା ଦେଇଗଲା । ପ୍ରଥମ ଢୋକଟା ତୁଣ୍ଡକୁ ନେଉଛି ଚା ବାମ୍ଫରେ ମାନସର ଚଷମାଟା ଏକବାରେ ଝାଳେଇଗଲା । ମନୀଷା ନିଜ ହାତରେ ମାନସ ଆଖିରୁ ଚଷମାଟା ଖୋଲିନେଇ ପଣତରେ ପୋଛି ପକାଇଲା । ତା’ପରେ ଚଷାମାଟାକୁ ନିଜେ ପିନ୍ଧିପକାଇ ଛାତି ଫୁଲେଇ ମାନସକୁ ତରାଟି ଚାହିଁଲା । ପଚାରିଲା–‘‘ଦେଖିଲ, ମୁଁ ଜଣେ ଅଧ୍ୟାପିକା ପରି ଦିଶୁଛି କି ନାହିଁ ?’’

 

ହସି ହସି ମାନସ ଟିପ୍‌ପଣୀ କାଟିଲା–‘‘ମେଟ୍ରିକ୍‌ରୁ ତ ଆଇ:ଏ: ପର୍ଯ୍ୟନ୍ତ ଯାଇପାରିଲ ନାଇଁ । ସେଥିରେ ପୁଣି ଅଧ୍ୟାପିକା ହେବାକୁ ମନ ?’’

 

–‘‘ମୁଁ କଣ ପଢ଼ିବାକୁ ମନା କରୁଥିଲି ? ମୋର ତ ଗ୍ରାଜୁଏଟ ହେବାର ଇଚ୍ଛା ଥିଲା ! ବିଗାଡ଼ିଲେ ସେଇ ନୂଆବୋଉ । ସାତ ଆଠମାସ ଫାଷ୍ଟ ଇୟାରରେ ପଢ଼ିଛି କି ନାଇଁ, ମୋର କି ଗତିବିଧି ଲକ୍ଷ୍ୟ କଲେ କେଜାଣି, କହିଲେ–‘ଏବେ ପତି ଖୋଜିବାର ବୟସ ହେଲା, ପୋଥିରେ ଡୋର ବାନ୍ଧ ।’ ଭାଇଙ୍କ କାନରେ ପୁଣି କି ମନ୍ତ୍ର ଫୁଙ୍କିଲେ କେଜାଣି, ସେ ମୋତେ କଲେଜ ଯିବାକୁ ମନା କରିଦେଲେ ।’’

 

ମାନସ ଗମ୍ଭୀରଭାବେ କ’ଣ ଭାବୁଁ ଭାବୁଁ କହି ପକାଇଲା–‘‘କିଛି ଚିନ୍ତା ନାଇଁ, ଏବେ ମୁଁ ତମକୁ ପଢ଼ାଇବି ।’’

 

ପିଲାଙ୍କ ପରି ମନୀଷା ଆନନ୍ଦରେ ନାଚି ଉଠି କହିଲା–‘‘ବାଃ... ତା’ ହେଲେ ମୁଁ ବି ହେବି ତମରି ପରି ଜଣେ ଅଧ୍ୟାପକ ।’’

 

(୩)

 

ପଲ୍ଲୀ-ଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଦିବସ । ତିନିଦିନବ୍ୟାପୀ ଉତ୍ସବର ମହାସମାରୋହ । ମନୀଷା-ମାନସଙ୍କର ନିମନ୍ତ୍ରଣ କ୍ରମେ ଶ୍ରୀଯୁକ୍ତ ମାଇତି ସସ୍ତ୍ରୀକ ଆସି ପଲ୍ଲୀଭାରତୀରେ ପହଞ୍ଚିଛନ୍ତି ।

 

ସେଦିନ ସନ୍ଧ୍ୟାରେ ସେମାନଙ୍କର ଉତ୍ସବକୁ କୁଟୀରଶିଳ୍ପ ଓ କାରୁକାର୍ଯ୍ୟ ପ୍ରଦର୍ଶନୀ ଦେଖି ଯିବାର କଥା । ମାତ୍ର ମନୀଷା କାହିଁ ? ଦିନ ଗୋଟାକବେଳୁ କି କାମରେ ବାହାରକୁ ଯାଇଛି ଯେ ସନ୍ଧ୍ୟା ଆସି ପାଞ୍ଚଟା ବାଜିଲାଣି, ତା’ର ଦେଖା ନାହିଁ । ଶ୍ରୀମତୀ ମାଇତି ବିରକ୍ତ ହୋଇ ଉଠିଲେ । ମାନସ ହସି ହସି କହିଲା–‘‘ବିରକ୍ତ ହେଉଛନ୍ତି କିଆଁ ? ଆପଣ ଯେ ସେଇମିତି ମନିକୁ ଗଢ଼ିଛନ୍ତି ନୂଆବୋଉ । ସୁନା ମୁଣ୍ଡାଟାଏ, ନୁହେଁ ?’’

 

ବିରକ୍ତି ଭିତରେ ବି ଶ୍ରୀମତୀ ମାଇତି ହସି ପକାଇଲେ । ପଚାରିଲେ–‘‘କୁଆଡ଼େ ଗଲା ସେ ?’’

 

–‘‘ମୁଁ କି ଜାଣେ ! ମିଟିଂ, ପାର୍ଟି, କନଫରେନ୍‌ସ କେତେ କାମ ! ଘରେ ଏଣେ ଅତିଥି ବସିଥିଲେ କ’ଣଟା ଭାସିଗଲା ? ନାରୀନେତ୍ରୀଙ୍କର ଯେ ଟିକିଏ ବୋଲି ଫୁରୁସତ ନାଇଁ ।’’

 

–‘‘ମିଟିଂ ? ପାର୍ଟି ? ଏ ସବୁ କଣ କହୁଛନ୍ତି ମାନସ ବାବୁ ?’’

 

–‘‘ମେଦିନୀପୁର ମାଇତି ବଂଶର କନ୍ୟା ମନି ଏବଂ ପଲ୍ଲୀଭାରତୀର ଅଧ୍ୟାପକ ପଟ୍ଟନାୟକଙ୍କ ସ୍ତ୍ରୀ ଶ୍ରୀମତୀ ମନୀଷା ଦେବୀଙ୍କ ଭିତରେ ଆକାଶ ପାତାଳ ପ୍ରଭେଦ ନୂଆବୋଉ । ମନୀଷା ଦେବୀ ବର୍ତ୍ତମାନ ଅତ୍ୟାଧୁନିକା କଲେଜ ଛାତ୍ରୀ, ଜନପ୍ରିୟା ନାରୀନେତ୍ରୀ, ପଲ୍ଲୀ-ଭାରତୀ ମହିଳାମଙ୍ଗଳ ସମିତିର ମାନ୍ୟବରା ସେକ୍ରେଟାରିଣୀ ଏବଂ....’’ ହୋ ହୋ କରି ହସି ଉଠିଲା ମାନସ-

 

ରାତି ସାତଟା ବେଳକୁ ତରବର ହୋଇ ଆସି ପହଞ୍ଚିଲା ମନୀଷା–’ ମୋତେ ମାଫ୍‌କର ନୂଆବୋଉ । ଆଜି ଆମ ମହିଳାମଙ୍ଗଳ ସମିତିର ବାର୍ଷିକ ଅଧିବେଶନ ଥିଲା ଯେ, ମୁଁ ଆଉ କୌଣସିମତେ ମିଟିଂ ଛାଡ଼ି ଶୀଘ୍ର ଆସି ପାରିଲି ନାହିଁ । ଭାଇ ମୋ’ ଉପରେ ଭାରି ବିରକ୍ତ ହୋଇଥିବେ । ଆଚ୍ଛା, କାଲି ସକାଳେ ପ୍ରଦର୍ଶନୀ ଦେଖିଯିବା ?’’

 

ମନର ବିରକ୍ତିଭାବ ଲୁଚାଇ ଶ୍ରୀମତୀ ମାଇତି କହିଲେ–‘‘ତୋତେ ଅପେକ୍ଷା କରି କରି ଏଇ ପାଞ୍ଚମିନିଟ ଆଗରୁ ଭାଇ ତୋର ମାନସ ବାବୁଙ୍କ ସାଙ୍ଗରେ କୁଆଡ଼େ ବାହାରିଗଲେ । ହଉ, ପ୍ରଦର୍ଶନୀରେ କାଲି ଦେଖା ହେବ ।’’

 

ତା’ ପରେ ନଣନ୍ଦ ଭାଉଜ ଦୁହେଁ ଜଳଯୋଗରେ ବସିଲେ । ମନୀଷା ଆରମ୍ଭ କଲା–‘‘ଏଇ ବଡ଼ଦିନ ଛୁଟିରେ ଆମେ ବମ୍ବେ ବୁଲି ଯାଉଛୁ ନୂଆବୋଉ । ଗବେଷଣା ସମ୍ପର୍କରେ ଅଧ୍ୟାପକଙ୍କର ପୁନାରେ କ’ଣ କାମ ଅଛି । ଫେରିବା ବାଟରେ ଦକ୍ଷିଣ ଭାରତର ଦର୍ଶନୀୟ ସ୍ଥାନଗୁଡ଼ିକ ଦେଖି ଫେରିବୁଁ । ତମେ ଯଦି ଭାଇଙ୍କି ଟିକିଏ ରାଜି କରେଇ ପାରନ୍ତ ନୂଆବୋଉ, ତା’ ହେଲେ ସାଙ୍ଗରେ ଯାଆନ୍ତ ।’’

 

–‘‘ମୋର ସମୟ କାହିଁ ମନି ? ଦେଖୁଛୁ ତ ଦୁଇଦୁଇଟା ପିଲା । ପୁଣି ଘରଦ୍ୱାର, ବାଡ଼ିବଗିଚା, ହାଲ୍‌ ହକେଇତି ସକଳ ବୋଝ ମୋରି ମୁଣ୍ଡରେ । ମରିବାକୁ ବି ଟିକିଏ ତର ନାଇଁ । ଦେଶ ବିଦେଶ ଦେଖିବାକୁ ମନ ଥିଲେ ବି କ’ଣ ଯାଇ ହେଉଛି ? ତୋର ବୟସ ଅଛି, ସମୟ ସୁବିଧା ବି ଅଛି, ଯେତେ ପାରୁଛୁ ବୁଲି ଦେଖ । ଆମର କଣ ଆଉ ବଳ ବୟସ ଆସୁଛି ?’’ ଏତକ କହି ଶ୍ରୀମତି ମାଇତି ଅଳ୍ପ ଅଳ୍ପ ହସିଲେ । ମନୀଷା ମଧ୍ୟ ହସରେ ଯୋଗଦେଲା ।

 

ତା’ପରେ ଶ୍ରୀମତୀ ମାଇତିଙ୍କୁ ନିଜ ଶୋଇବା ଘରକୁ ଡାକିନେଲା ମନୀଷା । ‘‘ନୂଆବୋଉ, ରେଡ଼ିଓ ଶୁଣିବ ?’’ –ବୋଲି ପଚାରୁ ପଚାରୁ ଯାଇ ରେଡ଼ିଓ ଖୋଲିଲା ।

 

ସୁସଜ୍ଜିତ ପଲଙ୍କ ଉପରେ ଯାଇ ଅର୍ଦ୍ଧଶାୟିତ ଅବସ୍ଥାରେ ବସିପଡ଼ିଲେ ଶ୍ରୀମତୀ ମାଇତି-। ମନୀଷା କହିଲା–‘‘ଏ ଫିଲିପ୍‌ସ ସୁପାର୍‌ ଏମ୍‌ ସେଟ୍‌ଟି ଟ୨୭୫୧ରେ କିଣିଲି ନୂଆବୋଉ ! ବେଶ୍‌ ଚମତ୍କାର ବାଜୁଛି । ତମ ରେଡ଼ିଓଟା ଭଲ ଅବସ୍ଥାରେ ଅଛି ତ ?’’

 

‘ହୁଁ’ଟିଏ ମାରି ଶ୍ରୀମତୀ ମାଇତି ପଲଙ୍କର ତକିଆ ପାଖରେ ଗଦା ହୋଇଥିବା ବହିଗୁଡ଼ାକ ଖେଳାଇବାକୁ ଲାଗିଲେ । ରେଡ଼ିଓ ଶୁଣିବାକୁ ଯେମିତି ତାଙ୍କର ମନ ନାହିଁ । ଗୋଟିକ ପରେ ଗୋଟିଏ ବହିଗୁଡ଼ାକର ନାମ ଦେଖୁଁ ଦେଖୁଁ ସେ ପାଟିକରି ଉଠିଲେ–‘‘ଏ କଣ ମନି ? ତୁ’ ଏ ସବୁ ବାଜେ ବହିଗୁଡ଼ା କେବେଠୁଁ ପଢ଼ିବାକୁ ଆରମ୍ଭ କଲୁଣି ? ତୋତେ ପରା ବରାବର ମନା କରିଛି–ଏ ଶସ୍ତା କରୁଚିପୂର୍ଣ୍ଣ ପ୍ରେମକାହାଣୀ, ଗୋଇନ୍ଦାଉପନ୍ୟାସ ପଢ଼ିବୁ ନାଇଁ । ଏଗୁଡ଼ାକ ଭିତରେ....’’

 

ରେଡ଼ିଓ ଆଡ଼େ କାନ ଦେଇ ନୂଆବୋଉଙ୍କ କଥାରେ କେବଳ ହସିବାକୁ ଲାଗିଲା ମନୀଷା । ସେ ହସର ବିଦ୍ରୂପ ଶ୍ରୀମତୀ ମାଇତିଙ୍କୁ ଆଘାତ କଲା । ସେ ଆଉ ଅଧିକ ଆଗେଇ ପାରିଲେ ନାହିଁ । ମନୀଷା ଆରାମ ଚେୟାରରେ ବସି ସେଇପରି ହସୁଁ ହସୁଁ ରେଡ଼ିଓରୁ ଆସୁଥିବା ହାଲ୍‌କା ସିନେମା ସଙ୍ଗୀତର ତାଳ ସହିତ ଗୋଡ଼ ହଲାଇ ତାଳ ଦେଉଥିଲା । ତାର ଭାବ, ଭଙ୍ଗୀ, କଥା, ହସ ସବୁଥିରେ ଯେପରି ଏକ ସ୍ୱେଚ୍ଛାଚାରୀ, ବେଖାତିର ଭାବ । ନଣନ୍ଦର ଏପରି ବ୍ୟବହାରରେ ବ୍ୟଥିତା ହୋଇ ଶେଷରେ ଶ୍ରୀମତୀ ମାଇତି କହିଉଠିଲେ–‘‘ତୋର ଯେ ଆଜିକାଲି ଏ ସବୁ କି ପରିବର୍ତ୍ତନ ହେଇଛି ମନି, ମୁଁ କିଛି ବୁଝିପାରୁ ନାଇଁ ।’’

 

ଏ କଥାରେ ମନୀଷା ଆହୁରି ହସିଲା–ହସିଲା ଜୋର୍‌ରେ । ସେ ବିକଟ ହସରେ ସମସ୍ତ ଘରଟା ଆଚ୍ଛନ୍ନ ହୋଇଗଲା, ରେଡ଼ିଓ ସଙ୍ଗୀତ ବି ଶୁଣାଗଲା ନାହିଁ । ହସୁଁ ହସୁଁ ମନୀଷା କେବଳ ଏତିକି କହିଲା–‘‘ପରିବର୍ତ୍ତନ ଜଗତର ନିୟମ ନୂଆବୋଉ ।’’

Image

 

ସୃଷ୍ଟିର ସ୍ୱପ୍ନ

 

ରାତି ଦଶଟାର ସେଇ ମଧୁର ଲଗ୍ନ ।

 

କଲ୍ୟାଣୀ ଘର କାମ ସାରି ନଅଥ୍‌ କରି ଆସି ସ୍ୱାମୀଙ୍କ କୋଳରେ ପଡ଼ିଗଲା ।

 

ସ୍ୱାମୀ ଦେବନାଥ ବାବୁ ବିଛଣାରେ ପଡ଼ି ‘ଡଗର’ ପତ୍ରିକାର ଗୋଟାଏ ଗପ ଉପରେ ଆଖି ପକାଉଥିଲେ । ପ୍ରିୟତମା ପତ୍ନୀଙ୍କ ଆଗମନରେ ଗଳ୍ପଟି ଅର୍ଦ୍ଧ ପଠିତ ଅବସ୍ଥାରେ ରହିଲା । କଲ୍ୟାଣୀକି କୋଳରେ ଜଡ଼ାଇ ଧରି ସେ ପଚାରିଲେ–‘‘ତମେ ଆଜି ଇମିତି ଶୁଖିଲା ଦିଶୁଛ କାହିଁକି କଲ୍ୟାଣୀ ! ଦେହ କିଛି ଖରାପ ହେଲା କି ?

 

କଲ୍ୟାଣୀ ଅତି କଷ୍ଟରେ ‘‘ହୁଁ’’ଟିଏ ମାରିଲା ।

 

ଦେବନାଥ ଉଦ୍‌ବିଗ୍ନ ମନରେ କହିଲେ–‘‘ଦେହ ଖରାପ ଅଛି, କାହିଁ ଏ ପର୍ଯ୍ୟନ୍ତ ମୋତେ ସେ କଥା କହି ନ’ ! କଣ ହୋଇଛି କୁହ, ମୁଁ ବର୍ତ୍ତମାନ ଯାଏଁ ଡାକ୍ତରଖାନାକୁ ।’’

 

ଉଛୁଳା ଆନନ୍ଦର ମଧୁର ହସ ଫୁଟି ଦିଶିଲା କଲ୍ୟାଣୀ ମୁଖରେ । ଦେବନାଥ ଆଶ୍ଚର୍ଯ୍ୟ ହେଲେ । ଦେହ ଖରାପ ଅଛି, ଅଥଚ ଏଣେ ମୁହଁରେ ଉଛୁଳା ହସ । ଘଟଣା କଣ !

 

କଲ୍ୟାଣୀ ସ୍ୱାମୀଙ୍କ ବକ୍ଷରେ ଲୋଟି ପଡ଼ି ଗେହ୍ଲେଇ ହୋଇ କହିଲା–‘‘ଡାକ୍ତରଖାନା ଦଉଡ଼ିବା କିଛି ଦରକାର ନାହିଁ । ରୋଗ ମୋର ଭଲ ନ ହେଉ ।’’

 

‘‘ପାଗଳୀ ହେଲ ନା କଣ କଲ୍ୟାଣୀ ? ଦେହ ଦୁଃଖରେ ତମେ ଘାଣ୍ଟି ହେବ; ମୁଁ ନୀରବରେ ବସି ତାହା ଦେଖିବି ।’’

 

କଲ୍ୟାଣୀ ହସି ହସି କହିଲା–‘‘ସେ ଦେହ ଦୁଃଖ ମୋ ଜୀବନର ପରମ ସୁଖ ପ୍ରିୟତମ । ପୁଷ୍ପିତା ଲତାକୁ ଫଳର ଗୁରୁଭାର ବାଧିଲେ ମଧ୍ୟ ସୃଷ୍ଟିର ଗଭୀର ଆନନ୍ଦରେ ସେ କି ମଜଗୁଲ ନ ଥାଏ ।

 

ଦେବନାଥ କ୍ଷଣକେ ସବୁ କଥା ବୁଝି ପାରିଲେ । ସେମାନଙ୍କ ବିବାହିତ ଜୀବନର ଦୀର୍ଘ ଚାରିଟି ବର୍ଷ କଟି ଯାଇଛି । ଏହା ମଧ୍ୟରେ ଗୋଟିଏ ସନ୍ତାନ-ଲାଭ ଲାଗି କଲ୍ୟାଣୀ ଯେ କିପରି ସ୍ୱପ୍ନ-ବିଧୁରା ହୋଇ ଉଠିଛି, ତାହା ବରାବର ଦେବନାଥ ଲକ୍ଷ୍ୟ କରି ଆସିଛନ୍ତି । ବିଧାତାଙ୍କ ଦୟାରୁ ଆଜି ସେଇ ସ୍ୱପ୍ନ ସଫଳ ହେବାକୁ ଯାଉଛି । ଅତି ଆନନ୍ଦରେ ଦେବନାଥ ନିଜ ବାହୁବନ୍ଧନ ମଧ୍ୟରେ କଲ୍ୟାଣୀକି ଆବଦ୍ଧ କରି ପକାଇଲେ ।

 

କଲ୍ୟାଣୀ କହିଲା–ଆଜି ଦି’ପହରେ ନେତୀ ଆଈ ଆସିଥିଲେ । ମୋର ବାନ୍ତି ଉଛାଳ ଦେଖି ସବୁ କଥା ପଚାରି ବୁଝିଲେ । କହିଲେ–ହେଇଗଲା; ଏଥର ତୋ କୋଳ ପୂରିବ’ ଏ ଘର ଉଛୁଳି ଉଠିବ ।

 

ନିରୁତ୍ତର ରହି ଦେବନାଥ କେବଳ କଲ୍ୟାଣୀର କବରୀରେ ଅଜାଡ଼ି ଦେଲେ–ଅଜସ୍ର ଚୁମ୍ବନର ପୁଷ୍ପ ।

 

କଲ୍ୟାଣୀ ସ୍ୱାମୀଙ୍କ କାନ ପାଖରେ ମୁହଁ ଗୁଞ୍ଜି ସ୍ୱପ୍ନ-ବିଭୋର ହୋଇ କହିଲା–‘‘ସେଦିନ ସିନେମା ହଲ୍‌ ଭିତରେ ଯେଉଁ ପିଲାଟିକି ତମକୁ ଦେଖେଇ ଦେଇଥିଲି...କି ସୁନ୍ଦର ଡଉଲ ଡାଉଲ ପୁଅଟି । ବାପ ପାଖରୁ ମା’ କୋଳକୁ ଯିବା ଲାଗି ଖାଲି ଉଝଟ ଲଗାଉଥାଏ । କଅଁଳ ଓଠର ଦରୋଟି କଥା ତା’ର କି ସୁନ୍ଦର ମନେ ପଡ଼ୁଛି ?’’

 

ଦେବନାଥ ‘‘ହୁଁ’’ ମାରିଲେ ।

 

‘‘ତମେ ଲକ୍ଷ୍ୟ କରିଛ ସେ ଯୁବତୀଟିକି ? ମୁଖରେ ତା’ର ମାତୃତ୍ୱର କି ଗର୍ବ, କି ଆନନ୍ଦ-! ହସି ହସି ପିଲାଟିକି ସେ କୋଳକୁ ନେଲା । ଆମ କୋଳକୁ ଠିକ୍‍ ସେହିପରି ପୁଅଟିଏ ଆସିଲେ...’’

 

ଦେବନାଥ କାନ ଡେରି ସବୁ କଥା ଶୁଣି ଯାଉଥିଲେ ହଠାତ୍‌ ବାଧା ଦେଇ କହିଲେ–‘‘ନା କଲ୍ୟାଣୀ, ମୁଁ ପୁଅ ଚାହେଁ ନା । ତମରି ରୂପ ଗୁଣ ଧରି ପ୍ରଥମେ ଆମର ଝିଅଟିଏ ହେଲେ, କି ସୁନ୍ଦର ହୁଅନ୍ତା ।’’

 

କଲ୍ୟାଣୀ ସେଥିରେ ରାଜି ନ ହୋଇ କହିଲା–‘‘ଉଁ ହୁଁ ଝିଅ ଆମର କଣ ହେବ ? ମୁଁ ପୁଅଟିଏ ଚାହେଁ ।’’

 

କଲ୍ୟାଣୀର ଜିଦରେ ହିଁ ଦେବନାଥ ବାବୁଙ୍କୁ ସମ୍ମତ ହେବାକୁ ପଡ଼ିଲା ।

 

ଶତସ୍ୱପ୍ନ, ସହସ୍ର କଳ୍ପନା ମଧ୍ୟରେ କଲ୍ୟାଣୀର ଦିନଗୁଡ଼ିକ କଟିବାକୁ ଲାଗିଲା । ନଅମାସ ପରେ ହଠାତ୍‌ ଦିନେ କଲ୍ୟାଣୀଠାରେ ପ୍ରସବ ବେଦନା ପରିଲକ୍ଷିତ ହେଲା । ସ୍ତ୍ରୀର ପ୍ରଥମ ଗର୍ଭ, ତେଣୁ ବିଶେଷ ସାବଧାନ ହେବାର କଥା । ଦେବନାଥ ସଙ୍ଗେ ସଙ୍ଗେ କଲ୍ୟାଣୀକି ନିକଟସ୍ଥ ହସପିଟାଲକୁ ପଠାଇ ଦେଲେ ।

 

ସହଜ ଓ ସୁବିଧାରେ ପ୍ରସବ ହୋଇ ପାରିଲା ନାହିଁ । ଦୀର୍ଘ ଦୁଇଦିନ କଲ୍ୟାଣୀ ଅସହ୍ୟ ବେଦନାରେ ଛଟପଟ ହେବାକୁ ଲାଗିଲା । ତଥାପି ସେ ମହାଆନନ୍ଦରେ ସ୍ୱାମୀଙ୍କ ପାଖକୁ ଖବର ଦେଲା–‘‘ଏ କିଛି ନୁହେଁ, ତମେ ମୋ ପାଇଁ ବ୍ୟସ୍ତ ହେବ ନାହିଁ ।’’

 

ଶେଷରେ ଅବସ୍ଥା ସାଙ୍ଘାତିକ ଜଣାଯିବାରୁ କଲ୍ୟାଣୀଠାରେ ଅସ୍ତ୍ରୋପଚାର କରାଗଲା । କଲ୍ୟାଣୀ ଅକୁଣ୍ଠିତ ଚିତ୍ତରେ ସମସ୍ତ ଦୁଃଖ ବେଦନା ସହ୍ୟ କଲା । ସେଦିନ ସେ ସଜ୍ଞାହୀନ ଥିବାବେଳେ ପ୍ରସବ କଲା ଏକ ପୁତ୍ର ସନ୍ତାନ;–ନିଜ ସ୍ୱପ୍ନର ଜୀବନ୍ତ ରୂପାୟନ ।

 

ଦେବନାଥ ଖବର ପାଇ ଆନନ୍ଦରେ ଅଧୀର ହୋଇ ଉଠିଲେ । କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ କଲ୍ୟାଣୀର ସଜ୍ଞା ନ ଫେରିବାର ଦେଖି ସେ ଅତି ବ୍ୟସ୍ତ ହୋଇ ପଡ଼ିଲେ । ଡାକ୍ତରଙ୍କ ପାଖରେ ବିକଳ ହୋଇ ପ୍ରସୂତିର ଜୀବନ ଭିକ୍ଷା କଲେ । ଶେଷରେ ଡାକ୍ତରଙ୍କ ଚେଷ୍ଟାରେ କଲ୍ୟାଣୀ ଥରେ ଆଖି ମେଲି ଚାହିଁଲା । ଦେବନାଥ ବ୍ୟସ୍ତ ବ୍ୟାକୁଳ ଭାବରେ ପାଖକୁ ଯାଇ ଠିଆ ହେଲେ ।

 

ପ୍ରଥମେ ପାଖରେ ଶୋଇଥିବା ସନ୍ତାନଟିକି କଲ୍ୟାଣୀ ଥରେ ପ୍ରାଣ ଭରି ଦେଖିନେଲା । ତା’ ପରେ ନିଜର ଦୁର୍ବଳ ହାତଟି ଅତି କଷ୍ଟରେ ଉଠାଇ ଶିଶୁର ଛୋଟ କଅଁଳ ମଥାଟିକି ଆଉଁସି ଦେଲା । ଶୀର୍ଣ୍ଣ ଅଧରରେ ତା’ର ଫୁଟି ଦିଶିଲା ଏକ ମଧୁର ହାସ୍ୟରେଖା ଅର୍ଦ୍ଧ ନିମୀଳିତ ନୟନରେ ଢଳଢଳ ହେଲା ଆନନ୍ଦର ଉଛୁଳା ଅଶ୍ରୁ ।

 

ଦେବନାଥ ବିସ୍ମୟ ମୁଗ୍‌ଧ ହୋଇ ଏ ଅପୂର୍ବ ଦୃଶ୍ୟ ଦେଖିବାକୁ ଲାଗିଲେ ।

 

କିଛିକ୍ଷଣ ପରେ କଲ୍ୟାଣୀ ସ୍ୱାମୀଙ୍କଆଡ଼େ ଚାହିଁ ଧୀରେ ଧୀରେ କହିଲା–‘‘ଜୀବନର କାମନା ମୋର ଆଜି ପୂର୍ଣ୍ଣ ହୋଇଛି । ଏବେ ମୋତେ ବିଦାୟ ଦିଅ । ଏଇ ବକଟକ ଧନ ଛାଡ଼ିଗଲି, ଏଇୟାକୁ ମଣିଷ କରିବ ।’’

 

ଏଇତ କଲ୍ୟାଣୀର ଶେଷ କଥା । ଦେବନାଥ ବାବୁ ନିର୍ବାକ, ନିଶ୍ଚଳ ଭାବରେ କଲ୍ୟାଣୀର ପରିତୃପ୍ତି ଭରା ମୁହଁକୁ ଚାହିଁ ରହିଲେ ।

Image